ଓଡିଶା

odisha

କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ, କ୍ଷତି ସହୁଛନ୍ତି ଅନୁଗୋଳର ଚାଷୀ

By

Published : Feb 14, 2023, 11:35 AM IST

ଉତ୍ପାଦିତ କପା କମ ଦରରେ ବିକ୍ରି କରି କ୍ଷତି ସହୁଛନ୍ତି ଚାଷୀ । ଆଠମଲ୍ଲିକ ଏବଂ ଅନୁଗୋଳ ଅଞ୍ଚଳର ଚାଷୀ କପା ବିକ୍ରି କରିନପାରି ଚିନ୍ତାରେ । ଅଧିକ ପଢନ୍ତୁ

cotton farmers facing many problems in angul
cotton farmers facing many problems in angul

କ୍ଷତି ସହୁଛନ୍ତି ଅନୁଗୋଳର ଚାଷୀ

ଅନୁଗୋଳ:ଦୁର୍ଦ୍ଦିନରେ ଅନୁଗୋଳ ଜିଲ୍ଲାର କପା ଚାଷୀ। କପା ଉତ୍ପାଦନ ହେଉଛି କିନ୍ତୁ ବିକ୍ରି ପାଇଁ ସୁବିଧା ନାହିଁ । ଫଳରେ ଚାଷୀମାନେ ନିଜସ୍ୱ ଖର୍ଚ୍ଚରେ ବଲାଙ୍ଗୀର ନେଇ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ଆଠମଲ୍ଲିକ ଏବଂ ଅନୁଗୋଳ ଅଞ୍ଚଳରେ ପ୍ରାୟ ୨ ଶହ ଏକରରୁ ଅଧିକ ଜମିରେ କପା ଚାଷ ହେଉଥିବା ବେଳେ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁ ନାହିଁ । କିନ୍ତୁ କପା ଚାଷ କରି ଉତ୍ପାଦନ ପରେ ମଧ୍ୟ ବିକ୍ରି ବଟାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଠମଲ୍ଲିକ ଓ ଅନୁଗୋଳ ବ୍ଲକ୍‌ର କିଛି ଜଙ୍ଗଲ ଅଧ୍ୟୁସୁତ ଅଞ୍ଚଳରେ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁ କୌଣସି ଫସଲ ହୋଇ ପାରୁ ନାହିଁ। କିଛି ବର୍ଷ ହେଲା ଶହ ଶହ ଏକର ଜମି ପଡିଆ ପଡୁଥିଲା। ଏହାକୁ ଦେଖି ଅନେକ ଚାଷୀ ଏବେ କପା ଚାଷକୁ ଅପଣେଇଛନ୍ତି। କାରଣ କପା ଚାଷରୁ ଭଲ ଲାଭ ହୁଏ। ଅତି କମ ଜଳସେଚନର ଆବଶ୍ୟକତା ପଡେ। ଗତ ୩ରୁ ୪ ବର୍ଷ ହେଲା ଜିଲ୍ଲାରେ ପ୍ରାୟ ୫ଶହ ଏକରରୁ ଅଧିକ ଜମିରେ କପା ଚାଷ ହେଉଛି। ଚାଷୀଙ୍କ କହିବା ଅନୁସାରେ ଗୋଟିଏ ଏକର ଜମିରେ ୫ ରୁ ୭ କୁଇଣ୍ଟାଲ କପା ଉତ୍ପାଦନ ହୁଏ। କୁଇଣ୍ଟାଲ ପ୍ରତି ସାଢ଼େ ସାତ ହଜାର ଟଙ୍କାରେ ବିକ୍ରି ହୁଏ।

ଏକର ପ୍ରତି ବିହନ, ଔଷଧ, ଜଳସେଚନ ଏବଂ କପା ତୋଳିବା ମଜୁରୀ ମିଶିଲେ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଦେଖିବାକୁ ଗଲେ ଚାଷୀଙ୍କର ଭଲ ଦୁଇ ପଇସା ଲାଭ ମଧ୍ୟ ହୁଏ । ହେଲେ ଜିଲ୍ଲାରେ କପା ଚାଷୀଙ୍କ ଦୁର୍ଦ୍ଦଶା ବଢି ଚାଲିଛି । କାରଣ ଏଠାରେ ଉତ୍ପାଦିତ ହେଉଥିବା କପା ବିକ୍ରି ପାଇଁ ସୁବିଧା ନାହିଁ । କିଛି ଚାଷୀ ବାଧ୍ୟ ହୋଇ ସୁଦୂର ବଲାଙ୍ଗୀର ନେଇ ବିକ୍ରି କରୁଛନ୍ତି । ଫଳରେ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଆଉ କିଛି ଚାଷୀଙ୍କଠାରୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ଆସି କମ୍‌ ଦରରେ କିଣି ନେଉଛନ୍ତି । ତେଣୁ ଚାଷୀଙ୍କର ଯେତିକି ଲାଭ ହେବା କଥା ସେତିକି ହୋଇ ପାରୁନାହିଁ ।

କପା ଚାଷକୁ ଭାରତ ସରକାରଙ୍କ କଟନ ବୋର୍ଡ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥାଏ । ଓଡ଼ିଶାର ରାୟଗଡା ଏବଂ ବଲାଙ୍ଗୀର ଠାରେ କଟନ ବୋର୍ଡର କାର୍ଯ୍ୟାଳୟ ରହିଥିବା ବେଳେ ସେଠାରେ ଚାଷୀମାନଙ୍କୁ ବିହନ ଯୋଗାଇ ଦିଆଯାଉଛି । କର୍ମଚାରୀମାନେ ଆସି ଚାଷୀମାନଙ୍କ ତାଲିମ ଦେଉଛନ୍ତି। ମଣ୍ଡି ଜରିଆରେ ଚାଷୀ ମାନଙ୍କଠାରୁ କପା କିଣୁଛନ୍ତି । କପା ଚାଷ କୃଷି ବିଭାଗ ଅଧୀନରେ ରହିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । କୃଷି ବିଭାଗ ଅଧିକାରୀମାନେ କେଉଁଠି କେତେ ଚାଷୀ କପା ଚାଷ କରୁଛନ୍ତି ସେ ଖବର ମଧ୍ୟ ଜାଣି ନାହାନ୍ତି ।

ତେଣୁ ଅନୁଗୋଳରେ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁ କୌଣସି ଫସଲ ହୋଇ ପାରୁ ନଥିବା ବେଳେ କପା ଭଳି ଏକ ଲାଭଦାୟକ ଫସଲକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯିବା ଏବେ ଆବଶ୍ୟକ । କପା ଚାଷ ପ୍ରତି ଏବେ ଜିଲ୍ଲା ରେ ଚାଷୀମାନେ ଆଗ୍ରହ ପ୍ରକାଶ କଲେଣି । ସେମାନଙ୍କୁ ସରକାରୀ ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇ ଦେଲେ ଆହୁରି ଅଧିକ ଚାଷୀ ଏହି ଚାଷ ପାଇଁ ଆଗେଇ ଆସନ୍ତେ ବୋଲି ଚାଷୀ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details