ଓଡିଶା

odisha

ETV Bharat / state

କୋରୋନା ଉଜାଡିଲା କଦଳୀ ଚାଷ, ଭାଙ୍ଗିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ - banana cultivation

କୋରୋନା ପାଇଁ ଅନୁଗୋଳର ଶହ ଶହ କଦଳୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ହାଟ ବଜାର ସବୁ କିଛି ବନ୍ଦ ଥିବାରୁ ବିକ୍ରି ହୋଇପାରୁନି କଦଳୀ। ଚିନ୍ତାରେ ଚାଷୀ...

Corona destroyed banana cultivation
କୋରୋନା ଉଜାଡିଲା କଦଳୀ ଚାଷ, ଭାଙ୍ଗିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

By

Published : Apr 11, 2020, 4:25 PM IST

ଅନୁଗୋଳ: କୋରୋନା ପାଇଁ ଶହ ଶହ କଦଳୀ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ହାଟ ବଜାର ସବୁ କିଛି ବନ୍ଦ ଥିବାରୁ ବିକ୍ରି ହୋଇପାରୁନି କଦଳୀ। ବଗିଚାରେ ନଷ୍ଟ ହେଉଛି ହଜାର ହଜାର ସଂଖ୍ୟାରେ କଦଳୀ କାନ୍ଦି। ଲକ୍‌ଡାଉନ୍‌ ଅବଧି ଆହୁରି ବଢି ଯାଇଥିବାରୁ ଯାହା ଆଶା ଥିଲା ତାହା ମଧ୍ୟ ମଉଳି ଗଲା। ଏବେ ଆଗକୁ କିଭଳି ପରିବାର ପ୍ରତିପୋଷଣ କରିବେ ତାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

କୋରୋନା ଉଜାଡିଲା କଦଳୀ ଚାଷ, ଭାଙ୍ଗିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ଅନୁଗୋଳ ଜିଲ୍ଲା ପୋକଟୁଙ୍ଗା ଗାଁ। ଯାହାକୁ କଦଳୀ ଚାଷର ଗାଁ ବୋଲି କୁହାଯାଏ। ଏହି ଗାଁରେ ପ୍ରାୟ ହଜାରେ ଏକରରୁ ଅଧିକ ଜମିରେ ବିଭିନ୍ନ ପ୍ରକାରର କଦଳୀ ଚାଷ ହୁଏ। ପ୍ରାୟ ଦୁଇ ହଜାରରୁ ଅଧିକ ପରିବାର କେବଳ କଦଳୀ ଚାଷ ଉପରେ ନିର୍ଭର କରନ୍ତି। ଗାଁର ଯୁଆଡେ ଦେଖିଲେ ଖାଲି କଦଳୀ ଗଛ। ଏଠାରୁ ବର୍ଷ ତମାମ କଦଳୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଏ। ଚାଷୀମାନେ ମଧ୍ୟ ନିଜେ ଜିଲ୍ଲା ଭିତରେ ଥିବା ବିଭିନ୍ନ ହାଟ ବଜାରକୁ ନେଇ କଦଳୀ ବିକ୍ରି କରନ୍ତି।

କହିବାକୁ ଗଲେ ଲୋକଙ୍କର ଆର୍ଥିକ ଉନ୍ନତିର କାରଣ କେବଳ କଦଳୀ ଚାଷ। କିନ୍ତୁ ଚଳିତ ବର୍ଷ ସବୁ କିଛି ଉଜୁଡି ଯାଇଛି। ବହୁ ପରିଶ୍ରମ କରି ସାର, ଔଷଧ ପ୍ରୟୋଗ କରି କଦଳୀ ଚାଷ କରିଥିଲେ। ଖର୍ଚ୍ଚ କରି ଡିଜେଲ ପମ୍ପରେ ପାଣି ମଡାଇଥିଲେ। ଭଲ କଦଳୀ କାନ୍ଦି ବି ହୋଇଥିଲା। ଠିକ ବିକ୍ରି ବେଳକୁ କୋରୋନା ଦାଉ ସାଧିଲା। ଲକ ଡାଉନ ଯୋଗୁଁ ଗାଡି ଗଡିଲାନି। ହାଟ ବଜାର ବନ୍ଦ ହୋଇଯିବାରୁ ବେପାରୀ ଆସିଲେ ନାହିଁ। ଫଳରେ ଗଛରେ କଦଳୀ କାନ୍ଦି ପାଚି ନଷ୍ଟ ହେଲା।

ଗାଁ ଗହିଳରେ ଚାଷୀ ମାନେ ଲୋକଙ୍କୁ ବାଧ୍ୟ ବାଧକରେ କାନ୍ଦି ପ୍ରତି 40ରୁ 50ଟଙ୍କାରେ ଦେଲେ। ଏପରିକି କେହି କେହି ମାଗଣାରେ କଦଳୀ ବାଣ୍ଟିଲେ। ଗଛରେ ପାଚିଲା କଦଳୀକୁ ଚଢେଇ ଓ ଅନ୍ୟ ଜନ୍ତୁ ଖାଇଗଲେ। ଲକ୍ଷ ଲକ୍ଷ ଟଙ୍କାର କଦଳୀ ନଷ୍ଟ ହୋଇଗଲା। ଆଉ ଯାହା କିଛି ଅଛି ସେସବୁ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଚାଷୀ କଣ କରିବ କିଛି ଭାବି ପାରୁନାହାଁନ୍ତି।

ଅନେକ ଆଶା ଥିଲା କଦଳୀ ବିକ୍ରି କରି ଯାହା ଋଣ କରାଯାଇଛି ସେସବୁ ପରିଶୋଧ କରିବେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। କୋରୋନାର କରାଳ ଛାୟାରେ ଏମାନେ ସତେ ଯେପରି ଅନ୍ଧାର ଭିତରକୁ ଠେଲିହୋଇଯାଇଛନ୍ତି । ଏକମାତ୍ର ରୋଜଗାର ପନ୍ଥା ବନ୍ଦ ହୋଇଯିବାରୁ ଏ ବର୍ଷ କେମିତି ପରିବାର ପ୍ରତିପୋଷଣ କରିବେ ଏବଂ କଦଳୀ ଚାଷ ପାଇଁ କରିଥିବା ଋଣ ପରିଶୋଧ କରିବେ ସେହି ଚିନ୍ତାରେ ଏବେ ଏଠାକାର ଚାଷୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜାନ ନାଥ, ଇଟିଭି ଭାରତ

ABOUT THE AUTHOR

...view details