ଓଡିଶା

odisha

ETV Bharat / state

ମିଳିଛି ପ୍ରଧାନମନ୍ତ୍ରୀ ଆବାସ, ଅର୍ଥ ଲୁଟିନେଲା ଠିକାଦାର - Contractor

ଟଙ୍କା ନିଅ ଆଉ ପକ୍କା ଘର କର । ଗରିବ ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଉଛନ୍ତି ଅର୍ଥ । ହେଲେ ଅନୁଗୋଳ ବରଡ଼ସାହି ଗାଁରେ ହିତାଧିକାରୀଙ୍କୁ ଠକି ଅର୍ଥ ଲୁଟିନେଇଛି ଠିକାଦାର । ଦେଖନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jun 13, 2019, 10:48 PM IST

ଅନୁଗୋଳ: ସମସ୍ତଙ୍କର ହେବ ପକ୍କା ଘର । ଆଉ ଏଥିପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ଦେଉଛନ୍ତି । ଘର ପାଇଁ ଆବଶ୍ୟକୀୟ ଅର୍ଥ ତିନୋଟି କିସ୍ତିରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସୁଛି । ହେଲେ ଅନୁଗୋଳ ବ୍ଲକ ମାଟିଆସାହି ପଞ୍ଚାୟତର ବରଡ଼ସାହି ଗାଁରେ ଏହି ଅର୍ଥ ଠିକାଦାରଙ୍କ ଦ୍ବାରା ହରିଲୁଟ ହୋଇଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପୁରା ଗାଁରେ ପ୍ରାୟ ୩୦ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ଅନୁଦାନ ଲକ୍ଷେ କୋଡ଼ିଏ ହଜାର ଟଙ୍କା । ତେବେ ଘର ତିଆରିରେ ଅସମର୍ଥତା ପ୍ରକାଶ କରି ଠିକାଦାର ହାତରେ ବ୍ୟାଙ୍କ ଖାତାକୁ ଟେକିଦେଇଛନ୍ତି ଏମାନେ । ବର୍ତ୍ତମାନର ଚିତ୍ର କିଛି ଏହିଭଳି । ଇଟାରେ ତିଆରି ହୋଇଛି କାନ୍ଥ । ଛାତ ପଡ଼ିବ ବୋଲି ବନ୍ଧା ହୋଇଛି ବାଉଁସ ଭାବା । ବାହାରେ ପଡ଼ି ପଡ଼ି ଖତରା ହେଲାଣି ଲୁହା ଛଡ଼ । ହେଲେ ଘର ତିଆରି ଲାଗି ଦାୟିତ୍ବ ନେଇଥିବା ଠିକାଦାର ଟଙ୍କା ଧରି ଫେରାର ।

ଯୋଜନାରେ ଟଙ୍କା ପାଇବା ପାଇଁ ସେମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ତେବେ ଖାତାକୁ ଟଙ୍କା ଆସିବା ପରେ ଲୋକଙ୍କୁ ଭଣ୍ଡେଇ ଟଙ୍କା ଉଠାଇ ନେଇଛି ସମ୍ପୃକ୍ତ ଠିକାଦାର । ପ୍ରତିଥର ଲୋକଙ୍କଠୁ ଟିପ ଚିହ୍ନ ନେଇ ଟଙ୍କା ଉଠାଏ ଠିକାଦାର । ଏବେ ଖାତା ପଡ଼ିଛି ଖାଲି ଆଉ ଠିକାଦାର ପାଖକୁ ଦୌଡ଼ିଦୌଡ଼ି ଧରାଛୁଆଁ ମିଳୁନି । ଅଧା ଘରକୁ ସଂପୂର୍ଣ୍ଣ କରିବାକୁ ଲୋକେ ଆପତ୍ତି କରିବାରୁ ତାଙ୍କୁ ପୁଣି ଠିକାଦାର ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କେବେ ଯେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ଜୁଟିବ ଏ କଥା ଭାବି ଚିନ୍ତାରେ ଏହି ନିରୀହ ହିତାଧିକାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details