ଅନୁଗୋଳ:ଅନୁଗୋଳ ବନାଞ୍ଚଳ ଏବଂ ଭାଳିଆପାଳ ମନ୍ଦରପୁର ବନ ସୁରକ୍ଷା ସମିତି ମଧ୍ୟରେ ବିବାଦ। ସମିତି ସଦସ୍ୟଙ୍କୁ ସାମିଲ ନକରି ଜଙ୍ଗଲ ଉନ୍ନତି ପାଇଁ ବନ ବିଭାଗ ବିଭିନ୍ନ କାମ କରିବାକୁ ଉଦ୍ୟମ କରୁଥିବାରୁ ସୃଷ୍ଟି ହୋଇଛି ବିବାଦ । ଜିଲ୍ଲାର ଅନୁଗୋଳ ବନାଞ୍ଚଳର ଭାଳିଆପାଳ ମନ୍ଦରପୁର ବନ ସୁରକ୍ଷା ସମିତିକୁ ପ୍ରାୟ ୯୨ହେକ୍ଟର ଜଙ୍ଗଲର ତଦାରଖ ଦାୟିତ୍ୱ ଦିଆଯାଇଥିବା ବେଳେ ଗତ ୨୦୦୯ରେ ବନ ସୁରକ୍ଷା ସମିତିରେ ପଞ୍ଜିକୃତ କରାଯାଇଥିଲା । ତେବେ ପୂର୍ବରୁ ଏହା ଲଣ୍ଡାପାହଡ ଥିବା ବେଳେ ଦୁଇ ଗ୍ରାମବାସୀ ଦୀର୍ଘ ୪୦ବର୍ଷ ତଦାରଖ କରି ଏହାକୁ ଜଙ୍ଗଲରେ ପରିଣତ କରିଛନ୍ତି ।
ଜଙ୍ଗଲ ସୁରକ୍ଷା ପାଇଁ ସଙ୍ଗୀନ ସ୍ଥିତି, ବନ ବିଭାଗକୁ ଗ୍ରାମବାସୀଙ୍କ ଚେତାବନୀ - ଅନୁଗୋଳ ବନାଞ୍ଚଳ
ଅନୁଗୋଳ ବନାଞ୍ଚଳ ଏବଂ ଭାଳିଆପାଳ ମନ୍ଦରପୁର ବନ ସୁରକ୍ଷା ସମିତି ମଧ୍ୟରେ ବିବାଦ। ସମିତି ସଦସ୍ୟଙ୍କୁ ସାମିଲ ନକରି ଜଙ୍ଗଲ ଉନ୍ନତି ପାଇଁ ବନ ବିଭାଗ ବିଭିନ୍ନ କାମ କରିବାକୁ ଉଦ୍ୟମ କରୁଥିବାରୁ ସୃଷ୍ଟି ହୋଇଛି ବିବାଦ । ଅଧିକ ପଢନ୍ତୁ
ତେଣୁ ବନ ବିଭାଗ ରେକର୍ଡରେ ଏହାକୁ ଲଣ୍ଡା ସଂରକ୍ଷିତ ଜଙ୍ଗଲ ବୋଲି ଉଲ୍ଲେଖ ରହିଛି। ଏଠାରେ ଜଙ୍ଗଲ ସୁରକ୍ଷା ଏବଂ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ବିଭାଗ ତରଫରୁ ବିଭିନ୍ନ କାମ ହାତକୁ ନିଆ ଯାଇଛି । ଯୁଗ୍ମ ବନ ପରିଚାଳନା ନିୟମ ଅନୁସାରେ ଜଙ୍ଗଲରେ ଯାହା କିଛି କାମ କରାଯିବ ଲୋକଙ୍କ ସହଭାଗିତାରେ କରାଯିବା ନିଷ୍ପତ୍ତି ହୋଇଥିବା ବେଳେ ଏଠାରେ ବନ ବିଭାଗ ସମିତିକୁ ଅଣଦେଖା କରି ଲକ୍ଷାଧିକ ଟଙ୍କାର କାମ କରିବାକୁ ନିଷ୍ପତ୍ତି ନେଇଛି। ଏପରିକି ହାତୀ ଦାଉରୁ ରକ୍ଷା ପାଇବାକୁ ଟ୍ରେଞ୍ଚ ଖନନ ଓ ଅନ୍ୟାନ୍ୟ କାମ ପାଇଁ ବ୍ୟୟ ଅଟକଳ ଲେଖାଥିବା ସିମେଣ୍ଟ ପିଲାର ନିର୍ମାଣ କରାଯାଇଛି। ଏହାକୁ ନେଇ ସମିତି ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କୁ ଅଣଦେଖା କଲେ କୌଣସି କାମ କରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଭାଳିଆପାଳ ଓ ମନ୍ଦରପୁର ବନ ସୁରକ୍ଷା ସମିତି ବଡ଼କେରା ପଞ୍ଚାୟତ ଅଧୀନରେ ଆସୁଥିଲେ ମଧ୍ୟ ବନ ବିଭାଗ ତରଫରୁ ଲେଖାଥିବା ପିଲରରେ ପଞ୍ଚାୟତ ବାଳୁଅକଟା ବୋଲି ଲେଖା ଅଛି। ଫଳରେ ସମିତି ସଦସ୍ୟମାନେ ଦ୍ଵନ୍ଦରେ ପଡି ଯାଇଛନ୍ତି। କାରଣ ଏହି ଦୁଇ ଗାଁର ଅଧିକାଂଶ ଲୋକ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଜଙ୍ଗଲରୁ ଜାଳକାଠ, ଶାଳପତ୍ର, ମହୁ ଏବଂ ଲାଖ ଆଦି ସଂଗ୍ରହ କରନ୍ତି। କିନ୍ତୁ ବନ ବିଭାଗ କୌଣସି ସୂଚନା ନଦେଇ ଏଭଳି କରୁଥିବାରୁ ସମିତିର ସଦସ୍ୟ ମାନେ ନିଜ ହାତରୁ ନିଜ ଜଙ୍ଗଲ ଚାଲିଯିବାର ଆଶଙ୍କା କରୁଛନ୍ତି। ଏହାକୁ ନେଇ ଏବେ ବନ ବିଭାଗ ଏବଂ ସମିତି ମଧ୍ୟରେ ବାଦ ବିବାଦ ଚାଲିଛି। ତେବେ ବନ ବିଭାଗ ଏହାକୁ ଖଣ୍ଡନ କରିଛି। ସେଠାରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଭିତ୍ତିକ କାମ କରାଯିବା ପାଇଁ ସ୍ଥିର ହୋଇଛି। ଯେତେବେଳେ କାମ ଆରମ୍ଭ ହେବ ସେତେବେଳେ ସ୍ଥାନୀୟ ଲୋକଙ୍କ ସହଯୋଗ ନେଇ କାମ କରାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
ତେବେ କିଛି ବର୍ଷ ହେଲା ବ୍ୟାପକ ଖଣି ଖଦାନ ଏବଂ କାରଖାନା ପାଇଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ତେଣୁ ଯେଉଁ କିଛି ଗାଁ ଗୁଡିକରେ ଲୋକେ ଜଙ୍ଗଲ ସୁରକ୍ଷା ଦେବାସହ ନୂଆ ଜଙ୍ଗଲ ସୃଷ୍ଟି କରୁଛନ୍ତି । ସେମାନଙ୍କୁ ବନ ବିଭାଗ ଅଣଦେଖା କରିବା ପରିବର୍ତ୍ତେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ