ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ପ୍ରଥମ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛେଣ୍ଡିପଦା ବ୍ଲକର ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକିଣା ମଣ୍ଡି ଉଦଘାଟନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିରେ ସ୍ଥିର କରାଯାଇଥିଲା ଯେ, ଖରିଫ ବିପଣନ ୨୦୨୨-୨୩ବର୍ଷରେ ହେବାକୁ ଥିବା ଧାନ କ୍ରୟ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବ । ତଦଅନୁଯାୟୀ ମଙ୍ଗଳବାର ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲାପାଳ ମଣ୍ଡି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।