ଓଡିଶା

odisha

ETV Bharat / state

ଅନୁଗୋଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ, ମିଶନଶକ୍ତି ମହିଳାଙ୍କୁ ଋଣ ବାଣ୍ଟିଲେ ନବୀନ - ଅନୁଗୋଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନୁଗୋଳରେ ମିଶନ ଶକ୍ତି ମହିଳାଙ୍କୁ ଋଣ ବାଣ୍ଟିବା ସହ 18ଶହ କୋଟିରୁ ଅଧିକ ଟଙ୍କାର ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇଲେ ମୁଖ୍ୟମନ୍ତ୍ରୀ (CM Naveen patnaik Angul visit) । ଅଧିକ ପଢନ୍ତୁ

ଅନୁଗୋଳରେ ମୁଖ୍ୟମନ୍ତ୍ରୀ, ମିଶନଶକ୍ତି ମହିଳାଙ୍କୁ ବାଣ୍ଟିଲେ ଋଣ, 18ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
ଅନୁଗୋଳରେ ମୁଖ୍ୟମନ୍ତ୍ରୀ, ମିଶନଶକ୍ତି ମହିଳାଙ୍କୁ ବାଣ୍ଟିଲେ ଋଣ, 18ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

By

Published : Dec 29, 2022, 5:28 PM IST

Updated : Dec 29, 2022, 5:59 PM IST

ଅନୁଗୋଳରେ 18ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ମିଶନଶକ୍ତି ମହିଳାଙ୍କୁ ବାଣ୍ଟିଲେ ଋଣ

ଅନୁଗୋଳ:ଦିନିକିଆ ଅନୁଗୋଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik Angul visit) । ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ସେହିପରି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ୨୪୨କୋଟି ଟଙ୍କାର ଋଣ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେ ଅନୁଗୋଳ ରେଳ ଷ୍ଟେସନରେ ପହଞ୍ଚି ରେଳମନ୍ତ୍ରୀ ଓ ଅନ୍ୟ 2 କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ପ୍ରକଳ୍ପ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ହେଲିକେପ୍ଟର ଯୋଗେ ଆସି ଷ୍ଟାଡିଅମ ଗ୍ରାଉଣ୍ଡରେ ଅବତରଣ କରିଥିଲେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବାଜା ବଜାଇ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯିବା ସହ ସେଠାରେ ଉପସ୍ଥିତ ଥିବା ମହିଳାମାନେ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ମୋଟ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ସେହିପରି ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହା ସହିତ ଅନୁଗୁଳରେ ୩୫୦ କୋଟି ଟଙ୍କାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ଦୁଇଟିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବାବେଳେ ଏହା ଦ୍ବାରା ଜିଲ୍ଲାର ୪୮ଟି ପଞ୍ଚାୟତର ଲୋକ ପାନୀୟ ଜଳ ପାଇପାରିବେ ।

ଅନୁଗୁଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ସ୍ବର୍ଗତ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ସଂଗ୍ରାମୀ ନେତାମାନଙ୍କ ତ୍ୟାଗ ଓ ସେବାକୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସହିତ ନିଯୁକ୍ତିର ସୁଯୋଗ ବଢୁଛି । ଚଳିତ ମେକ୍‌-ଇନ୍-ଓଡିଶା କନକ୍ଲେଭରେ ରାଜ୍ୟ ୧୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇଛି । ଅନୁଗୁଳରେ ଆଜିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଦ୍ବାରା ଜିଲ୍ଲାର ବିକାଶଧାରା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନୁଗୁଳର ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାର ୭୩୭୨ ମିଶନ ଶକ୍ତି ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ବାରା ଉପକୃତ ହେବେ । ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିଦିନ ମିଶନ ଶକ୍ତିର ମା’ମାନେ ତାଙ୍କୁ ଭେଟୁଛନ୍ତି । ତାଙ୍କ ସଫଳତାର କାହାଣୀ କହୁଛନ୍ତି । ଏହା ତାଙ୍କୁ ଖୁବ ଆନନ୍ଦ ଦେଉଛି । ମା’ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଛନ୍ତି । ଆଗାମୀ ୫ବର୍ଷରେ ମିଶନ ଶକ୍ତି ମା'ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୁଳ ଷ୍ଟାଡିଅମରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହାପରେ ରେଲୱେ ଷ୍ଟେସନ ଯାଇ ସେଠାରେ ସମ୍ବଲପୁର-ଶାଲିମାର-ସମ୍ବଲପୁର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ Angul Loco Shed Siding ଯାଇ ସେଠାରେ ନୂଆ MCRL ରେଲ ଲାଇନ ଉଦ୍‌ଘାଟନ କରିବା ସହିତ ଅନୁଗୁଳ-ବଳରାମ ଲିଙ୍କ ଗୁଡ୍‌ସ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡା ବିଧାୟକ ମୁକେଶ ପାଳଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଶାସକ ଦଳ ମୁଖ୍ୟ ସଚେତକ ତଥା ଦଳର ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ତୁଲାଇ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିଜେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଜେ.ଏନ.ପଙ୍କଜ ସଭାସ୍ଥଳକୁ ଆସି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସ୍ଥାନୀୟ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିିଭି ଭାରତ, ଅନୁଗୋଳ

Last Updated : Dec 29, 2022, 5:59 PM IST

ABOUT THE AUTHOR

...view details