ଅନୁଗୋଳ:କୋରୋନା କାଳରେ ଜଙ୍ଗଲ ଅଧ୍ୟୁଷିତ ଆଦିବାସୀମାନଙ୍କ ଜୀବିକାର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦେବା ସହ ଦିଆଯାଉଛି ମହୁ ବାକ୍ସ ଓ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ । ଯାହାଦ୍ବାରା ମହିଳାମାନେ ମହୁ ଉତ୍ପାଦନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ଏବଂ ସ୍ବାବଲମ୍ବୀ ହୋଇପାରିବେ । ପରୀକ୍ଷାମୂଳକ ଭାବେ ଅନୁଗୋଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ପବଲା ଗାଁରେ ପ୍ରଥମ ଥର ପାଇଁ ଯୋଗାଇ ଦିଆଯାଇଛି ୧୦୦ଟି ମହୁ ବାକ୍ସ ।
ଅନୁଗୋଳ ଜିଲ୍ଲାର ପବଲା ଗାଁ । ଘଞ୍ଚ ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଗାଁଟି । ଗାଁରେ ରୁହନ୍ତି ୨୨ଟି ଆଦିବାସୀ ପରିବାର । କିଏ ଚାଷ ତ ଆଉ କିଏ ମୂଲମଜୁରୀ କରି ଚଳନ୍ତି । ସବୁ ସମୟରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ । ଯାହା ଫସଲ କଲେ ତାକୁ ନଷ୍ଟ କରି ଦିଅନ୍ତି ଜଙ୍ଗଲୀ ଜନ୍ତୁ । ତେଣୁ ଅନେକ ଅଭାବ ଅନାଟନ ଭିତରେ ବଞ୍ଚନ୍ତି ଏଠାକାର ଲୋକେ । ଏଭଳି ସ୍ଥିତିରେ ସେମାନଙ୍କ ଜୀବିକାର ଉନ୍ନତି ପାଇଁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମଦ୍ୟୋଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ତାଳ ଗୁଡ଼ ସମବାୟ ସମିତି । ଉଭୟ ବିଭାଗ ତରଫରୁ ଗାଁରେ ମହୁ ଚାଷ ପାଇଁ ନିଆଯାଇଛି ଆବଶ୍ୟକ ପଦକ୍ଷେପ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ସମସ୍ତ ପରିବାରକୁ ଏକକାଳୀନ ୧୦୦ଟି ମହୁ ବାକ୍ସ ଏବଂ ଆବଶ୍ୟକ ସରଞ୍ଜାମ ଦିଆଯାଇଛି । ଯାହାକି ସେମାନଙ୍କ ଜୀବିକା ନିର୍ବାହ ଓ ଆର୍ଥିକ ବିକାଶରେ ସହାୟତା ହୋଇପାରିବ ବୋଲି କୁହାଯାଉଛି ।