ଅନୁଗୋଳ: ଜିଲ୍ଲାରେ ୩୦୦ରୁ ଅଧିକ ଘରୋଇ ବସ ମାଲିକ ଏବଂ ସେମାନଙ୍କର ୮୦୦ରୁ ଅଧିକ କର୍ମଚାରୀ ଏବେ ଦୁର୍ଦ୍ଦିନରେ । କୋରୋନା କଟକଣା ଯୋଗୁଁ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଜୀବିକା ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି କର୍ମଚାରୀ । ଅନ୍ୟପଟେ ରୋଜଗାର ନଥିବାରୁ ମାଲିକମାନେ ମଧ୍ୟ ନିଜେ ହଇରାଣ ହେଉଛନ୍ତି ।
ଅନୁଗୋଳ ବସଷ୍ଟାଣ୍ଡରୁ ଦୈନିକ ପ୍ରାୟ ୩୦୦ରୁ ଅଧିକ ଯାତ୍ରୀବାହୀ ବସ ବିଭିନ୍ନ ସ୍ଥାନକୁ ଚଳାଚଳ କରେ । ତେଣୁ ଯାତ୍ରୀମାନଙ୍କ ଭିଡ଼ ଲାଗିଥାଏ । ହେଲେ ଏବେ ମାସାଧିକ କାଳ କଟକଣା ଯୋଗୁ ଖାଁ ଖାଁ ହୋଇ ପଡିଛି ବସଷ୍ଟାଣ୍ଡ । ନା ଅଛି ବସ ନା ଅଛନ୍ତି ଯାତ୍ରୀ । ବସ ମାଲିକମାନେ ନିଜ ନିଜ ବସଗୁଡିକୁ କିଏ ରାସ୍ତା କଡରେ ଠିଆ କରାଇ ଦେଇଛି ତ ଆଉ କିଏ କେଉଁ କେନାଲ ହୁଡା କିମ୍ବା ପଡ଼ିଆରେ ଠିଆ କରାଇ ଦେଇଛି । ଅନେକ ବସରେ କଳଙ୍କି ଲାଗି ଗଲାଣି । ଚକା ତଳେ ଘାସ ଉଠି ଗଲାଣି ।
କଟକଣା କୋହଳ ପରେ ମଧ୍ୟ ବସ ଗୁଡିକୁ ଠିକ କରି ପୁଣି ରାସ୍ତାରେ ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିବ । ଗୋଟିଏ ପଟେ ଗାଡି ଚଳାଚଳ ନ କରିବା କାରଣରୁ ବ୍ୟାପକ କ୍ଷତି ଅନ୍ୟପଟେ ଦୀର୍ଘ ଦିନ ଧରି ଗାଡି ଗୁଡିକ ଠିଆ ହୋଇ ରହିବାରୁ ଯନ୍ତ୍ରାଂଶରେ ତ୍ରୁଟି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଆଗକୁ କଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ବସ ମାଲିକ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୦୦ ବସରେ କାମ କରୁଥିବା ପ୍ରାୟ ୮ଶହ କର୍ମଚାରୀ ଏବେ ଘରେ ବସି ରହିଛନ୍ତି । ମାଲିକମାନେ ସେମାନଙ୍କୁ ଦରମା ଦେଇ ପାରୁ ନାହାଁନ୍ତି । ତେଣୁ ଅଧିକାଂଶ କର୍ମଚାରୀଙ୍କ ଘରେ ଚୁଲି ଜଳୁନି । ସେମାନଙ୍କ ପାଇଁ କୌଣସି ସରକାରୀ ସହାୟତା ମଧ୍ୟ ନାହିଁ ।