ଅନୁଗୋଳ: ଦୀର୍ଘ ବର୍ଷର ଦାବି ପୂରଣ କଲେ ସରକାର । ଦୁଇଟି ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନାରେ ପ୍ରାୟ ଅଢେଇ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବର୍ତ୍ତମାନ ପୋଲ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ଏହି ପୋଲ ତିଆରି ହେବା ଦ୍ବାରା ଏଥିରେ ଜିଲ୍ଲାର ଅନୁଗୋଳ ବ୍ଲକ ମାଟିଆସାହି ଓ ସରଧାପୁର ପଞ୍ଚାୟତର ୧୫ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ ।
ଜିଲ୍ଲାର ଅନୁଗୋଳ ବ୍ଲକ ସରଧାପୁର ଓ ମାଟିଆସାହି ପଞ୍ଚାୟତ ମଝିରେ ଏକ ଜଙ୍ଗଲୀ ଚିରସ୍ରୋତା ନାଳ ଗମନାଗମନର ବାଧକ ସାଜିଥିଲା । ନାଳର ଉଭୟ ପାର୍ଶ୍ଵରେ ଦୁଇଟି ଯାକ ପଞ୍ଚାୟତର ଏକର ଏକର ଚାଷ ଜମି ଓ ଘରଡିହ ରହିଛି । କିନ୍ତୁ ନାଳ ଯୋଗୁଁ ତାହା କୌଣସି କାମରେ ଆସିପାରୁ ନାହିଁ । ବର୍ଷା ଦିନେ ପ୍ରାୟ ୪ ମାସରୁ ଅଧିକ ନାଳ ଅପରପର୍ଶ୍ୱରେ ଥିବା ୨/୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି । ଏପରିକି ସରକାରୀ ରିଲିଫ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରୁ ନାହିଁ । ଏହାଛଡା ପିଲାମାନେ ପାଠ ପଢିବାକୁ ସ୍କୁଲ ମଧ୍ୟ ଯାଇପାରନ୍ତି ନାହିଁ। ଏହି ଦୁଇ ଗ୍ରାମରେ ଅଧିକାଂଶ ଦିନ ମଜୁରିଆ ହୋଇଥିବାରୁ କାମଧନ୍ଦା କରିବାକୁ ବାହାରକୁ ଯାଇ ଆସିପାରନ୍ତି ନାହିଁ । ଜିଲ୍ଲା ସଦର ସଦରମହାକୁମା ଠାରୁ ମାତ୍ର ୧୫ କିମି ଦୂରରେ ଥିବା ଏହି ଗାଁ ଗୁଡିକର ଅବସ୍ଥା ଗମନାଗମନ କ୍ଷେତ୍ରରେ ଏମିତି ରହିଛି । ଲୋକେ ବାରମ୍ବାର ନାଳ ଉପରେ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ଠାରୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରି ଆସୁଥିଲେ । ଶେଷରେ ସରକାର ସେମାନଙ୍କ ଦୁଃଖ ଶୁଣିଲେ । ପ୍ରାୟ ଅଢେ଼ଇ କୋଟି ଟଙ୍କା ବ୍ୟୟରେ ରାମିମୁଣ୍ଡା ଗାଁ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି ।