ଓଡିଶା

odisha

ETV Bharat / state

ସାଗର ପ୍ରଧାନ ହତ୍ୟାକାଣ୍ଡ: ପରିବାରକୁ ଭେଟିଲା ୩ ଜଣିଆ ବିଧାୟକ ଦଳ

ଅନୁଗୋଳର ଜରପଡା ଥାନାର ଦୁର୍ଗାପୁର ଗାଁରେ ଗତ ୩ଦିନ ତଳେ ଘଟିଥିବା ସାଗର ପ୍ରଧାନ ହତ୍ୟାକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ରବିବାର ବିଜେପିର ଏକ ବିଧାୟକ ପ୍ରତିନିଧି ମଣ୍ଡଳୀ ହତ୍ୟାକାଣ୍ଡ ଘଟିଥିବା ଗାଁକୁ ମୃତକ ପରିବାରକୁ ଭେଟିବା ସହ ଘଟଣା ବାବଦରେ ପଚାରି ବୁଝିଛନ୍ତି । ଅଧିକ ପଢ଼ନ୍ତୁ

ସାଗର ପ୍ରଧାନ ହତ୍ୟାକାଣ୍ଡ: ପରିବାର ବର୍ଗକୁ ଭେଟିଲା ୩ ଜଣିଆ ବିଧାୟକ ଦଳ
ସାଗର ପ୍ରଧାନ ହତ୍ୟାକାଣ୍ଡ: ପରିବାର ବର୍ଗକୁ ଭେଟିଲା ୩ ଜଣିଆ ବିଧାୟକ ଦଳ

By

Published : Apr 18, 2022, 11:12 AM IST

ଅନୁଗୋଳ: ଜିଲ୍ଲାର ଜରପଡା ଥାନାର ଦୁର୍ଗାପୁର ଗାଁରେ ଗତ ୩ଦିନ ତଳେ ଘଟିଥିବା ସାଗର ପ୍ରଧାନ ହତ୍ୟାକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ରବିବାର ବିଜେପିର ଏକ ବିଧାୟକ ପ୍ରିତନିଧି ମଣ୍ଡଳୀ ହତ୍ୟାକାଣ୍ଡ ଘଟିଥିବା ଗାଁକୁ ମୃତକ ପରିବାରକୁ ଭେଟିବା ସହ ଘଟଣା ବାବଦରେ ପଚାରି ବୁଝିଛନ୍ତି । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଳସରାବିଧାୟକ ଭବାନୀ ଭୋଇ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଦୁର୍ଗାପୁର ଗାଁରେ ପହଞ୍ଚିଥିଲେ ।

ସାଗର ପ୍ରଧାନ ହତ୍ୟାକାଣ୍ଡ: ପରିବାର ବର୍ଗକୁ ଭେଟିଲା ୩ ଜଣିଆ ବିଧାୟକ ଦଳ

ବିଧାୟକ ମଣ୍ଡଳୀ ସାଗରଙ୍କ ବାପା, ଭାଈ, ପତ୍ନୀ ଓ ପୁଅଙ୍କୁ ଭେଟି ସମବେଦନା ଜଣାଇବା ସହ ପୋଲିସ ଉପସ୍ଥିତିରେ ପରିବାର ଲୋକ ଓ ଗ୍ରାମବାସୀଙ୍କଠାରୁ ଘଟଣା ବିଷୟରେ ବୁଝିଥିଲେ । ପୋଲିସ ଏଭଳି ସମ୍ବେଦନଶୀଳ ଘଟଣାରେ ନିରପେକ୍ଷତା ଅବଲମ୍ବନ କରିବା ସହ ଶାସକ ଦଳର ଚାପର ବଶବର୍ତ୍ତୀ ନହେବା ପାଇଁ କହିଛନ୍ତି ବିଧାୟକ ପ୍ରତିନିଧି ମଣ୍ଡଳୀ । ପୋଲିସ ସାଗରଙ୍କ ପରିବାରକୁ ସୁରକ୍ଷା ଦେବା ବଦଳରେ ବାରମ୍ବାର ତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ମାନସିକ ଚାପ ପକାଉଥବା ଅଭିଯୋଗ କରିଛି ବିଜେପି ପ୍ରତିନିଧି ମଣ୍ଡଳୀ ।

ପୋଲିସ ନିଜେ ଆସି ହତ୍ୟାକାରୀର ଘରୁ ତାର ପୋଷାକ ନେଇ ଥାନାରେ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୋଲିସ ଉପରେ ସନ୍ଦେହ କରିଛି ବିଜେପି । ଅନ୍ୟପଟେ ଅଭିଯୋଗରେ ଥିବା ଅନ୍ୟମାନଙ୍କୁ ଆଦୌ ତଦନ୍ତ ପରିସର ଭୁକ୍ତ ନକରିବା ନେଇ ବିଧାୟକ ମଣ୍ଡଳୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ପୋଲିସକୁ ଉଭୟ ସାଗରର ପରିବାର ଓ ପୂର୍ବରୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ମହିଳା ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ପ୍ରଧାନଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଦାବି କରିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ ।

୩ ଦିନ ତଳେ ଦୁର୍ଗାପୁର ଗ୍ରାମରେ ଦଣ୍ଡନୃତ୍ୟ ଚାଲିଥିବା ବେଳେ ସାଗର ପ୍ରଧାନ ଘର ନିକଟରେ ଥିବା ମଣ୍ଡପରେ ଶୋଇଥିଲେ । ଶୋଇଥିବା ବେଳେ କୈାଣସି ଦୁର୍ବୃତ୍ତ ବିଳମ୍ବିତ ରାତିରେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗର ପ୍ରଧାନଙ୍କ ମୃତଦେହ ପଡିଥିବା ସକାଳେ ଗ୍ରାମବାସୀ ଓ ପରିବାର ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details