ଅନୁଗୋଳ: ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ରବିବାର ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୋଳ ଜିଲ୍ଲାର ବାମୁର ଠାରୁ ବଅଁରପାଳ ପର୍ଯ୍ୟନ୍ତ ପ୍ରାୟ ୧୦୦ କିମି ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଛି । ଫଳରେ କୌଣସି ଯାନବାହନ ଚଳାଚଳ କରୁନାହିଁ । ଓକିଲ ସଂଘର ଏହି ଆନ୍ଦୋଳନକୁ ଶାସକ ଦଳର ସମସ୍ତ ବିଧାୟକମାନେ ସମର୍ଥନ କରିଛନ୍ତି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲ ଲହଡା ବିଧାୟକ ମୁକେଶ ପାଳ ପ୍ରମୁଖ ସମର୍ଥନ ଜଣାଇ ଓକିଲମାନଙ୍କ ସହ ଆଲୋଚନା କରିଛନ୍ତି ।
ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ, ପାଲଲହଡା, ଛେଣ୍ଡିପଦା, ତାଳଚେର ଓକିଲ ସଙ୍ଘ ଏହାକୁ ପୂର୍ଣ୍ଣ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାସହିତ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘ, ସମସ୍ତ ରାଜନୈତିକ ଦଳ, ସାଧାରଣ ଜନତା, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବାଣିଜ୍ୟିକ ଅନୁଷ୍ଠାନ ମଧ୍ୟ ସହଯୋଗ କରିଛନ୍ତି । ତେଣୁ ରାସ୍ତା ଅବରୋଧ ସମ୍ପୂର୍ଣ୍ଣ ସଫଳ ହୋଇଛି । ଜିଲ୍ଲାର ସୀମା ବାମୁରୁ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଦଳ ଦଳ ହୋଇ ଓକିଲମାନେ ବସି ରହି ଅବରୋଧ କରିଥିବାରୁ ଶହ ଶହ ଗାଡି ଅଟକି ରହିଛି । ଅବରୋଧ ସମ୍ପର୍କରେ ଜାଣନଥିବା ବହୁ ଲୋକ ଏବଂ ବିଭିନ୍ନ କାରଖାନାରେ କାମ କରୁଥିବା କର୍ମଚାରୀମାନେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଦୀର୍ଘ ୬ ଘଣ୍ଟା ଧରି ଜାତୀୟ ରାଜପଥ ଶୂନଶାନ୍ ହୋଇ ପଡ଼ିଛି । କେବଳ ଆମ୍ବୁଲାନ୍ସ ଓ ଡାକ୍ତରଖାନା ଯାଉଥିବା ଗାଡିଗୁଡିକୁ ଛଡା ଯାଇଛି ।