ଅନୁଗୋଳ: ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣର ଅଧ ଘଣ୍ଟା ପରେ ଜାମିନ ଆସିବା ନେଇ ଏବେ ନାନା ପ୍ରଶ୍ନ ଛିଡା ହୋଇଛି । ଘଟଣାକୁ ନେଇ ପୋଲିସକୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଥିବା ବେଳେ ପବ୍ଲିକ ପ୍ରୋସିକ୍ୟୁଟ ଅପରାଧୀର ବେଲ ନାମଞ୍ଜୁର ପାଇଁ ପୁଣି ଥରେ କୋର୍ଟକୁ ଅପିଲ କରିଛନ୍ତି। ପୋଲିସ ଅପରାଧୀ ଖସାଇବା ପାଇଁ ନିଜର କୋହଳ ମନୋବୃତ୍ତି ଆପଣେଇଥିବା ଏବେ ଅଭିଯାଗ ହେଉଛି ।
ଅନୁଗୋଳ ପୋଲିସ ଗତ ଜାନୁୟାରୀ ମାସ 28 ତାରିଖରେ ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଜଣେ ଅପରାଧୀକୁ ବନ୍ଧୁକ ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ପରେ ବାପିକୁ ତୁରନ୍ତ ଜାମିନ ମିଳିବା ଘଟଣାରେ ବିବାଦ ପୋଲିସର ପିଛା ଛାଡ଼ୁନି । ପୋଲିସର କୋହଳ ମନୋଭାବ ଯୋଗୁଁ ବାପିକୁ ଜାମିନ ମିଳିଗଲା । ଏହି ଘଟଣାକୁ ଅନୁଗୋଳ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି ।
ଯାହାକୁ ନେଇ ପୋଲିସକୁ ଏବେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ପୋଲିସ ନିଜର ଛବି ବଞ୍ଚାଇବାକୁ ଯାଇ ତଦନ୍ତକାରୀ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଦାୟିତ୍ବ ତୁଲାଇ ଏବେ ଚୁପ ହୋଇ ଯାଇଛି । ତେବେ ବାପି ନିକଟରୁ 3ଟି ଚୋରା ବନ୍ଧୁକ ଓ 9ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଥିଲା । ତେବେ ସେ ଚୋରା ବନ୍ଧୁକ କେଉଁଠୁ ଆସିଲା, କେଉଁ ଉଦ୍ଦେଶ୍ୟରେ ସେ ବନ୍ଧୁକ ରଖିଥିଲା ସେନେଇ ପୋଲିସ କୌଣସି ତଦନ୍ତ କରି ନଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।