ଅନୁଗୋଳ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ପୁଣି ଗାଁ ମୁହାଁ ହେଲେଣି ନେତା ମନ୍ତ୍ରୀ । ଏହାରି ଭିତରେ ଘଞ୍ଚ ଜଙ୍ଗଲ ଅଧ୍ୟୁଷିତ ଗାଁ ଗାଁ ବୁଲି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଚାଷୀଙ୍କ ସମସ୍ୟା ବୁଝିଲେ, ସ୍କୁଲ ପିଲାଙ୍କୁ ପାଠ ପଢ଼ାଇଲେ । ଜଣେ ଗରିବ ଚାଷୀଙ୍କ ଘରେ ତଳେ ବସି ଖଲି ପତ୍ରରେ ଖାଇଛନ୍ତି ବିଧାୟକ । ବିଧାୟକଙ୍କ ଏଭଳି ସାଧାରଣ ଆଚରଣ ଯୋଗୁଁ ଏବେ ସେହି ଅଞ୍ଚଳରେ ବିଧାୟକଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ସାଧାରଣ ଲୋକେ ।
ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କଣ୍ଟେଇକୋଳିଆ ପଞ୍ଚାୟତ । ପଞ୍ଚାୟତର ଅଧିକାଂଶ ଗାଁ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ତେଣୁ ସେ ଅଞ୍ଚଳକୁ ସରକାରୀ ବାବୁ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ପାଦ ଖୁବ କମ ପଡେ । ସେଥିପାଇଁ ଯେ କୌଣସି ସରକାରୀ ବାବୁ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିଲେ ଖୁସିରେ ଲୋକଙ୍କ ଛାତି କୁଣ୍ଢେମୋଟ ହୋଇଯାଏ । ତେବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏହି ପଞ୍ଚାୟତର ବିଭିନ୍ନ ଗାଁ ବୁଲିଛନ୍ତି । ବିଶେଷ କରି ସବୁଠାରୁ ଦୁର୍ଗମ ଗାଁ ଇଚ୍ଛାପୁର ଯାଇ ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ବିଧାୟକ । କେଉଁଠି ତଳେ ବସି ଲୋକଙ୍କ ସହ କଥା ହୋଇଥିଲେ ତ ଆଉ କେଉଁଠି କାହା ବାରଣ୍ଡାରେ ବସି ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ବର୍ଷ ପରେ ବିଧାୟକଙ୍କୁ ପାଖରେ ପାଇ ଲୋକେ ନିଜ ନିଜର ସବୁ ଅସୁବିଧା ବଖାଣିଥିଲେ । ବିଧାୟକ ମଧ୍ୟ ଲୋକଙ୍କୁ ସେସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।