ଅନୁଗୋଳ :ଟଳିଲା ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋର ସଙ୍କଟ । ତାଳଚେର ସୁରକ୍ଷା ମଞ୍ଚକୁ ନାଲକୋ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟାହୃତ ହୋଇଛି ଆନ୍ଦୋଳନ । ଦୀର୍ଘ 16 ଦିନ ପରେ ସ୍ୱାଭାବିକ ହୋଇଛି ନାଲୋକ CPP ପ୍ଲାଣ୍ଟ। ଏନେଇ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ତତ୍ତ୍ବାବଧାନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ସେହିପରି ତାଳଚେର ସୁରକ୍ଷାମଞ୍ଚ ଓ ନାଲକୋ କତ୍ତୃପକ୍ଷଙ୍କ ପକ୍ଷରୁ ନବରତ୍ନ କମ୍ପାନୀ ନାଲକୋ ଚାଲିବା ନେଇ ସୂଚନା ଦିଆଯାଇଛି । ତେବେ ଗତକାଲି ତାଳଚେର ବିଧାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ନାଲକୋ ପ୍ଲାଣ୍ଟର ଉଚ୍ଚ କତ୍ତୃପକ୍ଷ ଓ ସୁରକ୍ଷାମଞ୍ଚ ମଧ୍ୟରେ ଆଲୋଚନା କରାଯାଇଥିଲା । ଆଗାମୀ ଏକ ମାସ ମଧ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତ୍ତ୍ବାବଧାନରେ ବୈଠକ କରାଯାଇ ଜମିହରାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି । ଏଥିସହ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଏକ ମାସ ପାଇଁ ସ୍ଥଗିତ ରଖିବା ନେଇ ସୁରକ୍ଷାମଞ୍ଚ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ହେବ ନାଲକୋ CPP ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ୫ଟି ପଞ୍ଚୟତର ଜମିହରା ୭୦ ଜଣ ଲୋକଙ୍କୁ ଠିକା ଶ୍ରମିକଙ୍କ ନିଯୁକ୍ତି ଦାବିରେ ଗତ 13 ତାରିଖରୁ CPP ପ୍ଲାଣ୍ଟ ଓ ରେଳ ଯୋଗେ କୋଇଲା ପରିବହନକୁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ବନ୍ଦ କରାଯାଇଥିଲା । ଯାହାକୁ ନେଇ ପ୍ଲାଣ୍ଟର ପାଉଁଶ ପରିଚାଳନାରେ ସମସ୍ୟା ସୃଷ୍ଟି ହେବା ସହ ପ୍ଲାଣ୍ଟର 5 ଟି ୟୁନିଟ ବନ୍ଦ ହୋଇଯାଇଥିଲା ।