ଓଡିଶା

odisha

ETV Bharat / state

ଜମିହରାଙ୍କ ଉପରେ ପୋଲିସର ଜୁଲମ, ମୈତ୍ରୀ କମ୍ପାନୀ ବିରୁଦ୍ଧରେ ତାତିଲେ ଲୋକେ - ନାଲକୋ କୋଇଲା ଖଣି

ନାଲକୋ କୋଇଲା ଖଣି ବିରୋଧରେ ତେଜୁଛି ଜନ ଅସନ୍ତୋଷ । ଆନ୍ଦୋଳନ ବେଳେ ଜମିହରାଙ୍କୁ ଉଠାଇ ନେଇ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

ନାଲକୋ କୋଇଲା ଖଣି ବିରୋଧରେ ଆନ୍ଦୋଳନ
ନାଲକୋ କୋଇଲା ଖଣି ବିରୋଧରେ ଆନ୍ଦୋଳନ

By

Published : Apr 25, 2023, 12:46 PM IST

ନାଲକୋ କୋଇଲା ଖଣି ବିରୋଧରେ ଆନ୍ଦୋଳନ

ଅନୁଗୋଳ: କୋଇଲା ଖଣି ପାଇଁ ଜମି ହରାଇଥିବା ଲୋକଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ । ବଳପୂର୍ବକ ଆନ୍ଦୋଳନସ୍ଥଳରୁ ଉଠାଇ ନେଇ କୋର୍ଟ ଚାଲାଣ କଲା ପୋଲିସ । ଯାହାକୁ ନେଇ ଅନୁଗୋଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଅନୁଗୋଳ ଜିଲ୍ଲାର ନାଲକୋ କୋଇଲା ଖଣି ପାଇଁ କାର୍ଯ୍ୟ କରୁଥିବା ମୈତ୍ରୀ କମ୍ପାନୀ ବିରୁଦ୍ଧରେ ଲୋକେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । କମ୍ପାନୀ ପକ୍ଷରୁ ଉଚିତ କ୍ଷତିପୂରଣ ନଦିଆଯାଇ ଖଣି କାର୍ଯ୍ୟ କରୁଥିବାରୁ ଲୋକେ ଆନ୍ଦୋଳନ କରୁଛନ୍ତି । ତେବେ ଦୁଇ ଦିନ ତଳେ ଆନ୍ଦୋଳନ ବେଳେ ପୋଲିସ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଏବେ ଉତ୍କଳ ଡି ଏବଂ ସି କୋଇଲା ଖଣି ଖନନ କରାଯାଇଛି । ଏଥିପାଇଁ ଗୋପିବଲ୍ଲଭପୁର ଗାଁର ପ୍ରାୟ ହଜାରେ ଏକର ଜମି ଅଧିଗ୍ରହଣ କରାଯାଇଛି । ହେଲେ ଅଧିକାଂଶ ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ଅର୍ଥ ପାଇନାହାନ୍ତି । ପୂର୍ବରୁ କମ୍ପାନୀ ସହିତ ପ୍ରଶାସନର ମଧ୍ୟସ୍ଥତାରେ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ଜମିହରାଙ୍କୁ ନିଯୁକ୍ତି, ଆବଶ୍ୟକ କ୍ଷତିପୂରଣ ପ୍ରଦାନ ଏବଂ ବିସ୍ଥାପିତ କଲୋନୀ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଚୁକ୍ତି ଅନୁସାରେ କମ୍ପାନୀ କୌଣସି ପ୍ରତିଶ୍ରୁତି ପୂରଣ ନକରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଗତ ୨୧ ତାରିଖରୁ ଖଣି ପରିସରରେ ଧାରଣାରେ ବସିଥିଲେ ।

୨୨ ତାରିଖରେ ପୋଲିସ ଓ ପ୍ରଶାସନ ପହଞ୍ଚି ଧାରଣା ଦେଉଥିବା ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ଉଠାଇ ଆଣି ଅନୁଗୋଳ ଥାନାରେ ଅଟକ ରଖିଥିଲେ । ପ୍ରାୟ ୨୦୦ରୁ ଅଧିକ ଗ୍ରାମବାସୀଙ୍କୁ ଆଣି ରାତିସାରା ରଖିବା ପରେ ପୋଲିସ ୨୪ ଜଣ ମହିଳା ଓ ପୁରୁଷଙ୍କୁ ଜେଲ୍ ପଠାଇ ଦେଇଛି । ପୋଲିସ ଅତି ଅମାନୁଷିକ ଭାବେ ଲୋକଙ୍କୁ ଅତ୍ୟାଚାର କରି ଉଠାଇ ନେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଜଣେ ମହିଳାଙ୍କୁ ଜେଲ୍‌ ପଠାଇ ଦେଇଥିବାରୁ ତାଙ୍କର ଦେଢ଼ ବର୍ଷର ଶିଶୁ ଏବେ ମାଆ ବିନା ଅସୁସ୍ଥ ହୋଇପଡିଛି । ସେହିପରି ଜଣେ ବୃଦ୍ଧ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଆଜି ପୁଣିଥରେ ଧାରଣାରେ ବସି ରହିଛନ୍ତି । ପୋଲିସ ଆଜି ମଧ୍ୟ ସେମାନଙ୍କୁ ଉଠାଇ ନେବାକୁ ଯୋଜନା କରୁଛି । ତେଣୁ ସେଠାରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଆଲୋଚନା ମାଧ୍ୟମରେ ସମଧାନ କରାନଗଲେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details