ଅନୁଗୋଳ: ଜିଲ୍ଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ କେବଳ ଯେ ଚାଷ କାର୍ଯ୍ୟକୁ ପ୍ରଭାବିତ କରିଛି ତାହା ନୁହେଁ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅନୁଗୋଳ ସହରରେ ପାନୀୟଜଳ ସଙ୍କଟ ଆଶଙ୍କା କରାଯାଉଛି । ସହରକୁ ଶତକଡା ୮୦ ଭାଗ ଜଳ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରୁ ଆସିଥାଏ । କିନ୍ତୁ ଚଳିତ ବର୍ଷ ପ୍ରକଳ୍ପ ଶୁଖି ଗଲାଣି । ବର୍ଷା ନହେଲେ ଆଉ ୧୦ରୁ ୧୫ଦିନ ପରେ ପ୍ରକଳ୍ପରୁ ପାଣି ଆଣିବା ସମ୍ଭବ ହେବ ନାହିଁ। ତେଣୁ ଆଗକୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସହରବାସୀ ଏବଂ ଜନ ସ୍ଵାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି ।
ବର୍ଷା ଅଭାବ କାରଣରୁ ଶୁଖିଯାଉଛି ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପ । ଏହି ପ୍ରକଳ୍ପରୁ ପାଇପ ଯୋଗେ ପାଣି ଅଣାଯାଇ ଅନୁଗୋଳ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ତେବେ ପ୍ରକଳ୍ପ ଶୁଖିବାକୁ ବସିଥିବାରୁ କେତେବେଳେ ଅନୁଗୋଳ ସହରବାସୀଙ୍କୁ ଜଳ କଷ୍ଟ ଭୋଗିବାକୁ ପଡିପାରେ ତାହାର ଆକଳନ କରି ହେଉନାହିଁ । ପ୍ରତ୍ୟେକ ଦିନ ସହରବାସୀଙ୍କୁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ପାଣି ଯୋଗାଇ ଦିଆଯାଏ ତାର ସିଂହଭାଗ ପାଣି ଡେରଜାଙ୍ଗ ପ୍ରକଳ୍ପରୁ ଆଣାଯାଏ । ଦୈନିକ ସହର ପାଇଁ ସାଢ଼େ ୭ ମିଲିଅନ ଲିଟର ପାଣି ଆବଶ୍ୟକ ପଡୁଥିବା ବେଳେ ସେଥିରୁ ସାଢ଼େ ୫ ମିଲିଅନ ଲିଟର ପାଣି ଡେରଜାଙ୍ଗ ପ୍ରକଳ୍ପରୁ ଆସିଥାଏ । ଏବେ ପ୍ରକଳ୍ପ ଶୁଖିଲା ପଡ଼ିଥିବା ବେଳେ ଅନୁଗୋଳବାସୀ କେଉଁଠୁ ପାଣି ପାଇବେ ତାହାକୁ ନେଇ ବଢ଼ିବାରେ ଲାଗିଛି ଚିନ୍ତା