ଅନୁଗୋଳ:ଭଦ୍ରକରେ ଶେଷ ହୋଇଛି ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା । ଚଳିତ ମାସ ୨୬ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୨୦ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ଅନୁଗୋଳର ଟାଇକୋଣ୍ଡ ଖେଳାଳି ବେଶ ସଫଳତା ଅର୍ଜନ କରିଛନ୍ତି । ଭଦ୍ରକ ଜିଲ୍ଲା ଅଗ୍ରସେନ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଖେଳାଳୀମାନେ ୧୬ଟି ପଦକ ହାସଲ କରି ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଯେଉଁଥିରେ ସ୍ଵର୍ଣ୍ଣ ସମେତ ରୌପ୍ୟ ଓ କାଂସ୍ୟ ପଦକ ରହିଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ୧୯ ଜଣ ଖେଳାଳିଙ୍କ ସହିତ ୪ ଜଣ ବିଚାରକ ଓ ଜଣେ ଟାଇକୋଣ୍ଡ ପ୍ରଶିକ୍ଷକ ଅଂଶ ଗ୍ରହଣ କରିଥିଲେ ।
ତେବେ ଅନୁଗୋଳ ପାଇଁ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଲକ୍ଷ୍ନୌଠାରେ ହେବାକୁ ଥିବା ଜାତୀୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଭାରତର ଟାଇକୋଣ୍ଡ ଜନକ କୁହାଯାଉଥିବା ଡଃ ଜିମି ଆର୍ ଜଗଦୀୟାନି ଓ ଟାଇକୋଣ୍ଡ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସେହିଭଳି ଏହି ରାଜ୍ୟସ୍ତରୀୟ ସ୍କ୍ବାଏ ପ୍ରତିଯୋଗିତା ରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜାନୁଆରୀ 4 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ରାଜସ୍ଥାନ ଅଭିମୁଖେ ଯାତ୍ରା କରିବେ । ସେଠାରେ ମଧ୍ୟ ଅନୁଗୋଳର ଏହି କୃତି ଖେଳାଳିମାନେ ରାଜ୍ୟକୁ ଗୌରବାନ୍ବିତ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ପ୍ରେସିଡେଣ୍ଟ କପ ଓପନ ଟାଇକୋଣ୍ଡ ଚମ୍ପିଆନସିପ