ଅନୁଗୋଳ:ବର୍ଷବର୍ଷ ଧରି ଯାତାୟାତର ସୁବିଧା ନଥିଲା । ଚିରସ୍ରୋତା ନାଳ ଯୋଗୁଁ ବର୍ଷା ଦିନେ ଅଞ୍ଚଳଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡୁଥିଲା । ହେଲେ ସରକାରଙ୍କ ପକ୍ଷରୁ ଏବେ ପ୍ରାୟ ୧ବର୍ଷ ପୂର୍ବେ ସେହି ନାଳ ଉପରେ ଅଢେଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ଲୁହା ପୋଲ ନିର୍ମାଣ ହେବା ପରେ ଆଉ କୌଣସି ସମସ୍ୟା ନାହିଁ । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଜେରେଙ୍ଗ ଦେହୁରୀ ସାହିରେ ନିର୍ମିତ ଏହି ପୋଲ ଲୋକଙ୍କର ଆର୍ଥିକ ଓ ସାମାଜିକ ବିକାଶରେ ବେଶ ସହାୟକ ହୋଇପାରିଛି ।
ପିଲାମାନେ ପାଠ ପଢିବା, ଗୁରୁତର ରୋଗୀକୁ ଡାକ୍ତରଖାନା ନେବା, ଗାଈଗୋରୁ ଚରାଇବାକୁ ଜଙ୍ଗଲକୁ ନେବା ଭଳି ବହୁ କାମ କରିପାରୁ ନଥିଲେ ଅଞ୍ଚଳବାସୀ । ଛେଣ୍ଡିପଦା ବ୍ଲକର ଜେରେଙ୍ଗ ଦେହୁରୀ ସାହି । ଗାଁଟି ୫୫ନମ୍ବର ଜାତୀୟ ରାଜପଥକୁ ଲାଗିଛି । ହେଲେ ଜେରେଙ୍ଗ ଦେହୁରୀ ସାହିର ଅପରପାର୍ଶ୍ବରେ ଥିବା ସୌରିଆ, ଭାଗିରଥୀପୁର, ଲକ୍ଷ୍ମୀଧରପୁର ଏବଂ ଜେରେଙ୍ଗ ଗାଁକୁ ଗମନାଗମନ ଅସୁବିଧା ରହିଥିଲା । ଗାଁ ଦେଇ ଯାଇଥିବା ବାଉରୀ ଚିରସ୍ରୋତା ନାଳ ଯାତାୟାତରେ ବାଧକ ସାଜୁଥିଲା ।
ଏହା ବି ପଢନ୍ତୁ-ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ
ବର୍ଷା ଦିନେ ନାଳ ଆରପଟେ ଥିବା ଏହି ସବୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ । ସେହି ଅଞ୍ଚଳର ଅଧିକାଂଶ ଲୋକ ଚାଷବାସ କରନ୍ତି । ତେଣୁ ରାସ୍ତା ନଥିବାରୁ ଲୋକେ ନିଜ କୃଷି ଉତ୍ପାଦିତ ଜିନିଷ ବିକ୍ରି କରି ପାରୁ ନଥିଲେ। କାରଣ କୌଣସି ଯାନ ବାହାନ ଯାତାୟାତ କରି ପାରୁନଥିଲା । ୪ଖଣ୍ଡ ଗାଁର ପ୍ରାୟ ୧୫୦୦ରୁ ଅଧିକ ପରିବାର କେବଳ ଯାତାୟାତ ପାଇଁ ଅଭିଶପ୍ତ ଭଳି ଜୀବନଯାପନ କରୁଥିଲେ । ନାଳ ଅପରପାର୍ଶ୍ବରେ ଅଞ୍ଚଳବାସୀଙ୍କ ଏକରଏକର ଜମି ପଡିଆ ପଡୁଥିଲା ।