ଅନୁଗୋଳ: ଅନୁଗୋଳ ଜିଲ୍ଲାର ଏକ ଅପହଞ୍ଚ ଗାଁ ପବଲା । ସ୍ଵାଧୀନତାର ସାତ ଦଶନ୍ଧି ପରେ ବି ଅନ୍ଧାରିମୂଲକ ଭାବେ ଅବହେଳିତ ହୋଇ ପଡି ରହିଛି ଏହି ଗାଁ । ଅନୁଗୋଳ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଗାଁଟି ଥିଲେ ବି ଏଠି ପଡିନି ପ୍ରଶାସନର ପାଦ । ସର୍ବଶିକ୍ଷା ଅଭିଯାନର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଏଠି ଯେମିତି ବାଟ ହୁଡିଛି । ଛୋଟ ଛୋଟ ପିଲାଙ୍କୁ ପାଠ ପଢିବାକୁ ଆସିବାକୁ ପଡୁଛି ଗାଁ ଠାରୁ ୪ ରୁ ୫ କିଲୋମିଟର ବାଟ । ତାହା ପୁଣି ବିପଦସଙ୍କୁଳ ଜଙ୍ଗଲିଆ ରାସ୍ତାରେ । ସକାଳୁ ସ୍କୁଲ ଆସିଲେ ରାତିରେ ଘରକୁ ଫେରନ୍ତି । ଯିବାଆସିବା ରାସ୍ତାରେ ରହିଛି ବନ୍ୟଜନ୍ତୁଙ୍କ ଭୟ । ସବୁଠାରୁ ବଡ କଥା ହେଉଛି ଗାଁରେ ଅଙ୍ଗନଓ୍ବାଡ଼ି ସେଣ୍ଟରଟିଏ ମଧ୍ୟ ନାହିଁ । ତେଣୁ କୁନି ପିଲାଏ ସେ ବ୍ୟବସ୍ଥାରୁ ମଧ୍ୟ ବଞ୍ଚିତ ।
ଗାଁର ପିଲାଏ ଗାଁ ଠାରୁ ୫ କିଲୋମିଟର ଦୂରରେ ଥିବା କରତପଟା ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି । ଯିଏ ବିପଦକୁ ବରଣ କରି ସ୍କୁଲ ଆସିଛି ସିଏ ଚତୁର୍ଥରୁ ପଞ୍ଚମ ଯାଏଁ ପାଠ ପଢିଛି । ଯିଏ ଆସିନି ସିଏ ଅପାଠୁଆ ହୋଇ ରହିଯାଇଛି । କହିବାକୁ ଗଲେ ଆଜିଯାଏଁ କେହିବି ଗାଁରେ ମାଟ୍ରିକ ପାସ କରି ନାହାଁନ୍ତି । ଏ ସମ୍ପର୍କରେ ଗାଁ ସଭାପତିଙ୍କ କହିବା କଥା ଗାଁକୁ କେହିବି ସରକାରୀ ବାବୁ କି ନେତା କେବେ ଆସନ୍ତି ନାହିଁ । କେବଳ ଭୋଟ ଆସିଲେ ସରପଞ୍ଚ ଆସେ । ଯାହା ପାଇଁ ତାଙ୍କ ଗାଁରେ ଥିବା ସମସ୍ୟା ବାବଦରେ କେହିବି ଜାଣନ୍ତି ନାହିଁ । ଭୋଟ ବେଳେ ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଏ । ଖାଲି ଯେ ଗାଁରେ ଶିକ୍ଷାର ବ୍ୟବସ୍ଥା ନାହିଁ ତାହା ନୁହେଁ, ଗାଁ ଲୋକଙ୍କୁ ମୁନ୍ଦାଏ ଭଲ ପିଇବା ପାଣି ମିଳୁଛି ନା ଗାଁକୁ ଭଲ ରାସ୍ତାଟିଏ ଅଛି ।