ଓଡିଶା

odisha

ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

By

Published : Jan 23, 2020, 10:53 PM IST

ଅନୁଗୋଳ ଜିଲ୍ଲା ମାଣିକଯୋଡି ପଞ୍ଚାୟତ କୁରୁଡୁ ଗ୍ରାମରେ ରାସ୍ତା ନଥିବା କାରଣରୁ ଗ୍ରାମରେ ମାତ୍ର ଚାରୋଟି ଘର ଥିବାବେଳେ ଲୋକ ସଂଖ୍ୟା ମାତ୍ର ୮ ।

kurudu village road problem
ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

ଅନୁଗୋଳ: ଏମିତି ଏକ ଗାଁ ଅଛି ଯାହା ବିଷୟରେ ଶୁଣିଲେ ହୁଏତ କେହି ବିଶ୍ଵାସ କରିବେନି । ଏହି ଗାଁରେ ମାତ୍ର ଚାରୋଟି ଘର ଥିବାବେଳେ ଲୋକ ସଂଖ୍ୟା ମାତ୍ର ୮ । ଏଭଳି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲା ମାଣିକଯୋଡି ପଞ୍ଚାୟତ କୁରୁଡୁ ।

ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଏହି କୁରୁଡୁ ଗାଁ । ମାତ୍ର ଏହି ଗାଁକୁ ଯିବାକୁ ହେଲେ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡେ । କାରଣ ଗାଁକୁ ରାସ୍ତାଟିଏ ନାହିଁ । ଆଉ ଯେଉଁ ବାଟ ଦେଇ ଏଇ ଗାଁକୁ ଯିବାକୁ ପଡେ ସେଠି କେବଳ ଖାଲ ଖମା ଓ ବଡ ବଡ ପଥର । କେବଳ ଏତିକି ନୁହେଁ ଏହି ଗାଁକୁ ଯିବାକୁ ହେଲେ ପାହାଡୀ ନାଳ ଦେଇ ଯିବାକୁ ପଡେ ।

ତେବେ ଦିନ ଥିଲା ଏହି ଗାଁରେ ୮୦ଟି ଘର ଥିଲା । ମାତ୍ର ଏବେ ଅନେକ ଗୁଡିଏ ଘର ଅଛି ହେଲେ ସବୁ ଭାଙ୍ଗିରୁଜି ଗଲାଣି । ଏଥିସହ ପୂର୍ବରୁ ଗାଁରେ ସ୍କୁଲ ଥିଲା । ମାତ୍ର କାଳ କ୍ରମେ ତାହା ମଧ୍ୟ ଭାଙ୍ଗିଗଲା । କେବଳ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ ବୋଲି ଲୋକେ ଗାଁ ଛାଡ଼ି ଦେଇଛନ୍ତି ।

କେବଳ ଏତିକି ନୁହେଁ ଗାଁର ଏକର ଏକର ଚାଷ ଜମି ଫସଲ ନ ହୋଇ ପଡିଆ ପଡିଛି । ଆଉ ଯେଉଁ ଚାରୋଟି ପରିବାର ଏହି ଗାଁ ରେ ଅଛନ୍ତି ସେମାନେ କେବଳ ନିଜର ଆବଶ୍ୟକତା ପାଇଁ ଅଳ୍ପ କିଛି ଜମିରେ ଚାଷ କରୁଛନ୍ତି । ଆଉ ସେ ସବୁକୁ ନଷ୍ଠ କରୁଛନ୍ତି ଜଙ୍ଗଲି ଜନ୍ତୁ ।

ଏପଟେ ଗାଁ ଚାରିପାଖ ସଂରକ୍ଷିତ ଜଙ୍ଗଲ । ତେଣୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା କରିବାକୁ ବାଧକ ସାଧୁଛି ଜଙ୍ଗଲ ଆଇନ । ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାଶନ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତଙ୍କ ନିକଟରେ ନେହୁରା ହୋଇଛନ୍ତି । ମାତ୍ର ଫଳ ଶୂନ ।

ତେବେ ଏନେଇ ଆମ ଇଟିଭି ଭାରତ ପ୍ରତିନିଧି ବନ ବିଭାଗକୁ ଜଣାଇବା ପରେ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଏଥିସହ ଆବଶ୍ୟକ ପଡିଲେ ରାସ୍ତା ପାଇଁ ଯଦି ଅଳ୍ପ କିଛି ଗଛ କଟାଯାଏ ତେବେ ସେ ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ।

ତେବେ ଯଦି ଗାଁକୁ ରାସ୍ତା ଖଣ୍ଡେ ନ ହୁଏ ତେବେ ଗାଁରେ ଥିବା ଏହି ଚାରି ଘର ବାଧ୍ୟ ହୋଇ ଅନ୍ୟତ୍ର ଚାଲିଯିବେ । ଆଉ ଅନୁଗୋଳ ଭୌଗୋଳିକ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details