ଅନୁଗୋଳ :ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନୁଗୋଳ ଜିଲ୍ଲାରେ ଗତ ୩ଦିନ ପୂର୍ବେ ସର୍ବନିମ୍ନ ତାପମାତ୍ରା ୧୧.୬ଡିଗ୍ରୀ ରହିଥିଲା । ହେଲେ ମଙ୍ଗଳବାର ହଠାତ ୮.୬ଡିଗ୍ରୀକୁ ଖସି ଆସିଲା। ସେହିପରି ଆଜି (ବୁଧବାର) ୮ଡିଗ୍ରୀକୁ ଖସି ଆସିଛି । ଫଳରେ ଅସ୍ୱାଭାବିକ ଭାବେ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ଖରା ନ ହେବା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଅଧିକାଂଶ ଲୋକ ଖେଳ କସରତ କରି ଶୀତ ଦାଉରୁ ରକ୍ଷା ପାଉଛନ୍ତି ।
ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତ ବସ୍ତ୍ର ପରିଧାନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଚା ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି। ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁନି । ରାସ୍ତାଘାଟରେ ଲୋକେ ଯାତାୟତ କରି ପାରୁ ନାହାନ୍ତି। ସନ୍ଧ୍ୟା ହେଲେ ଚାରିଆଡେ ଶୁନଶାନ୍ ଜଣାପଡୁଛି । ହଠାତ ଏତେ ଶୀତକୁ ଲୋକେ ସହ୍ୟ କରି ପାରୁ ନାହାନ୍ତି। ଦୁଇ ଦିନ ହେଲା ଶୀତ ଅନୁଭୂତ ହେଉଥିବାରୁ ଶୀତ ବସ୍ତ୍ରର ଚାହିଦା ବଢି ଯାଇଛି। ରାସ୍ତା କଡର ଶୀତ ବସ୍ତ୍ର ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ତେବେ ଏତେ ଶୀତ ଯୋଗୁଁ ଗରିବ ଓ ନିରାଶ୍ରୟ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।