ଅନୁଗୋଳ:ବାତ୍ୟା ଜଓ୍ବାଦ (Cyclone Jawad) ଓ ବର୍ଷାକୁ ନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲାର ଚାଷୀ । ଚଳିତ ଖରିଫ ଋତୁରେ ବିଳମ୍ବରେ ବର୍ଷା ହେବାରୁ ଧାନ ରୁଆ ମଧ୍ୟ ବିଳମ୍ବରେ ହୋଇଥିଲା । ତେଣୁ ବର୍ତମାନ ଅଧିକାଂଶ ବିଲରେ ଧାନ ପରିପକ୍ୱ ହୋଇନାହିଁ। ଏହାଛଡା ଏବେ ଅମଳ ସମୟରେ ଅଦିନିଆ ବର୍ଷା ଓ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି । କାରଣ ଧାନ କାଟିବା ପାଇଁ ଆହୁରି ୮ରୁ ୧୦ଦିନ ଲାଗିବ। କିନ୍ତୁ ବର୍ଷା ଆଶଙ୍କା ଯୋଗୁ ଏବେଠାରୁ ଚାଷୀ ମାନେ ଧାନ କାଟିବା ଆରମ୍ଭ କରିଦେଇଛନ୍ତି । ଫଳରେ ଏଥର ଧାନ ଅମଳ କମିବାର ଆଶଙ୍କା କରାଯାଉଛି ।
ଏହାଛଡା ଅମଳ ଧାନ ଉନ୍ନତ ମାନର ହୋଇ ପାରିବ ନାହିଁ । ତେଣୁ ମଣ୍ଡିରେ ବିକ୍ରି ସମୟରେ ଚାଷୀଙ୍କୁ ଉଚିତ୍ ଦର ମିଳି ପାରିବ ନାହିଁ। ପ୍ରଥମତଃ ଚଳିତ ବର୍ଷ ବିଳମ୍ବରେ ଧାନ ରୁଆ ହୋଇଥିଲା । ଚାଷୀ ମାନେ ବହୁ ଖର୍ଚ୍ଚ କରି ପମ୍ପ ଯୋଗେ ପାଣି ମଡ଼ାଇ ଧାନ ରୁଆ କରିଥିଲେ । ଗତ କିଛି ଦିନ ପୂର୍ବେ ଲଗାଣ ବର୍ଷା ହୋଇଥିଲା । ତେଣୁ ବିଲରେ ଧାନ ଗଛ ସବୁ ପାଣି କାଦୁଅରେ ପଡି ରହିଛି । ଆଗକୁ ପୁଣି ବର୍ଷା ଆଶଙ୍କା ରହିଛି।