ଅନୁଗୋଳ: ଦିନଥିଲା ଖଜୁରୀ ଗଛ ହିଁ ଥିଲା ଜିବୀକା । ଅନିୟମିତ ବର୍ଷା କାରଣରୁ ଖଜୁରୀ ରସରୁ ଗୁଡ ତିଆରି କରି ପେଟ ପୋଷୁଥିବା ଅନୁଗୋଳ ଜିଲ୍ଲା ହିଂସାଲୋଇ ଗାଁଲେକେ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ବଳରେ ଦୁବଟିଏ ବି କଅଁଳୁ ନଥିବା ଜମିରେ ବି ଖେଳୁଛି ସୁନାର ଫସଲ । ଆମେ କହୁଛୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ରହିଛି ହିଂସାଲୋଇ ଗାଁ କଥା । ବର୍ଷା ଜଳକୁ ସଂରକ୍ଷଣ କରି ଏବେ ସେହି ଜଳରେ ଚାଷ କରି ଜଙ୍ଗଲ ପାହାଡ଼ିଆ ଅଞ୍ଚଳରେ ଫଳାଇଛନ୍ତି ପରିପୁର୍ଣ୍ଣ ଚୀର ସବୁଜିମା ଶଷ୍ୟକ୍ଷେତ୍ର ।
ସଂରକ୍ଷିତ ବର୍ଷା ଜଳରେ ଫଳୁଛି ସୁନା
ବର୍ଷାରେ ଅନିୟମିତତା ଯୋଗୁଁ ଟାଙ୍ଗରା ଭୁଇଁ ପାଲଟି ଯାଇଥିଲା ଭିଟା ମାଟି । ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ବଳରେ ଦୁବଟିଏ ବି କଅଁଳୁ ନଥିବା ଜମିରେ ଆଜି ଖେଳୁଛି ସୁନାର ଫସଲ ।
ଏକଦା ଅନିୟମିତତା ବର୍ଷା ଅଭାବରୁ ଟାଙ୍ଗରା ଭୁଇଁ ପାଲଟି ଯାଇଥିବା ନିଜ ଭିଟା ମାଟି । ଏହି କାରଣରୁ ଗାଁରେ ବସବାସ କରୁଥିବା ପ୍ରାୟ ୨୦ଟି ଆଦିବାସୀ ପରିବାରଙ୍କ ପାଇଁ ଗଣ୍ଡେ ଖାଇ ବଞ୍ଚିବା ବି କଷ୍ଟକର ଥିଲା । ହେଲେ ଗାଁଲୋକଙ୍କ ଉଦ୍ୟମରେ ଏକ ବେସରକାରୀ ଅନୁଷ୍ଠାନର ସହଯୋଗରେ ବିଭିନ୍ନ ଜାଗାରେ 4ଟି ପୋଖରୀ ଖୋଳି ବର୍ଷା ଜଳକୁ ସଂରକ୍ଷଣ କରି ରଖାଗଲା । ଫଳରେ ଜଳ ସମସ୍ୟା ଦୂର ହେଲା । ଏବେ ଖରାଦିନେ ମଧ୍ୟ ପର୍ଯ୍ୟାପ୍ତ ପାଣି ରହିବା ସହ ୧୦ଫୁଟ ଖୋଳିଲେ ବି ପାଣି ବାହାରୁଛି । ବର୍ଷ ତମାମ ଲୋକେ ଧାନ ବ୍ୟତୀତ ବିଭିନ୍ନ ପନିପରିବା, ଡାଲି ଜାତୀୟ ଫସଲ, ମକା, ଆଖୁ ସବୁକିଛି କରି ପାରୁଛନ୍ତି । ଆଉ ବେଶ ଦୁଇ ପଇସା ଲାଭ ପାଉଛନ୍ତି । କେବଳ ଫସଲ ନୁହେଁ ପୋଖରୀରେ ପର୍ଯ୍ୟାପ୍ତ ପାଣି ରହୁଥିବାରୁ ମାଛଚାଷ କରିବାକୁ ମଧ୍ୟ ସ୍ଥିର କରିଛନ୍ତି ଗ୍ରାମବାସୀ ।
ବର୍ତ୍ତମାନ ଜଳ ସଙ୍କଟ ସାରାବିଶ୍ବ ପାଇଁ ଏକ ସତର୍କ ଘଣ୍ଟି । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ଲୋକେ ଯେଉଁଭଳି ଭାବେ ବର୍ଷା ଜଳକୁ ସଂରକ୍ଷଣ କରି ଫସଲ ଅମଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି, ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ।