ଅନୁଗୋଳ:ଜିଲ୍ଲାରେବେକାବୁ ହେଲାଣି ହାତୀଙ୍କ ଉପଦ୍ରବ। ବଣୁଆ ହାତୀ ଆକ୍ରମଣରେ ଏକା ଦିନରେ ଯାଇଛି ଚାରି ଚାରି ଜଣଙ୍କର ଜୀବନ । ହାତୀ ଆକ୍ରମଣରେ ମୃତ୍ୟୁ ହେବା ପରେ ଏବେ ଗାଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଚାଷବାସ ପାଇଁ ବାଡ଼ି ବଗିଚାକୁ ଯାଉ ନାହାଁନ୍ତି । ସକାଳ ୧୦ଟା ନବାଜିଲେ ଘରୁ ବାହାରକୁ ଯାଉ ନାହାଁନ୍ତି ଗ୍ରାମବାସୀ । ଆଖପାଖ ପ୍ରାୟ ୧୦ଖଣ୍ଡ ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ନରହନ୍ତା ହାତୀଟି ଏବେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୁଲୁଥିଲେ ମଧ୍ୟ ପୁଣି ସେ ଏଠାକୁ ଲେଉଟିବା ଆଶଙ୍କାରେ ରହିଛନ୍ତି ଲୋକେ ।
ତେବେ ଗତ ଶନିବାର ଦିନ ଅନୁଗୋଳରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକା ଦିନରେ ଚାରି ଜଣଙ୍କର ଜୀବନ ନେଇଥିଲା ହାତୀ । ଅନୁଗୋଳ ବନାଞ୍ଚଳର ଛେଳିଆପଡା, ଅଙ୍ଗାରବନ୍ଧ, ବାରସିଙ୍ଗା ଏବଂ ଗଡ଼ସନ୍ତ୍ରୀ ଗାଁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ହାତୀ ବାଡ଼ି ବଗିଚାରେ କାମ କରୁଥିବା ଚାଷୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା । ଏହାପରେ ହିନ୍ଦୋଳ ଜଙ୍ଗଲକୁ ଚାଲି ଯାଇଥିଲା । ଏହି ଗୋଠଛଡା ହାତୀ ଏବେ ଏକୁଟିଆ ବୁଲୁ ଥିବା ବେଳେ ପୁଣି ଅନୁଗୋଳ ଆଡକୁ ଫେରିବ ତାହା କହିବା ସମ୍ଭବ ନୁହେଁ।
ଅନ୍ୟପଟେ ଏହି ୪ଟି ଗାଁ ବ୍ୟତୀତ ଆଖପାଖର ପ୍ରାୟ ୧୦ରୁ ଅଧିକ ଗାଁରେ ଦେଖା ଦେଇଛି କୋକୁଆ ଭୟ । ଅଧିକାଂଶ ଲୋକ ବାଡ଼ି ବଗିଚାରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ଭୟରେ ଅନେକ ଚାଷୀ ଆଉ ବଗିଚାକୁ ଯାଉ ନାହାଁନ୍ତି । ହାତୀ ଦଳିଚକଟି ବହୁ ଚାଷଜମିରେ କ୍ଷୟକ୍ଷତି କରିଥିବା ବେଳେ ଆଉ ଯାହା କିଛି ଅଛି ତାହାର ମଧ୍ୟ ଯତ୍ନ ନେଇ ପାରୁ ନାହାନ୍ତି ଗ୍ରାମବାସୀ । ତେଣୁ ବଗିଚାରେ ସଢୁଛି ବାଇଗଣ, ଟମାଟୋ, କଖାରୁ, ଭେଣ୍ଡି ଓ ଅନ୍ୟାନ୍ୟ ପନିପରିବା। ଗୋଟିଏ ପଟେ ଜୀବିକା ଓ ଅନ୍ୟପଟେ ଜୀବନ ଏଭଳି ଦୋ ଛକିରେ ରହିଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି । ସକାଳ ୧୦ଟା ପରେ ଘରୁ ବାହାରୁ ନଥିବା ବେଳେ ହାତୀ ଭୟ ଲୋକଙ୍କୁ ଘାରିଛି।
ଅନୁଗୋଳ ବନାଞ୍ଚଳର ବିଭିନ୍ନ ଗାଁରେ ପ୍ରାୟ ୨ରୁ ୩ ମାସ ହେଲା ୧୦୦ରୁ ଅଧିକ ହାତୀ ଦୁଇ ତିନିଟି ଦଳରେ ବୁଲୁଛନ୍ତି। ଗାଁ ଗାଁରେ ପସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗତ ୨ତାରିଖରେ ବନ୍ତଳା ବନାଞ୍ଚଳରେ ଜଣେ ଚାଷୀଙ୍କୁ ମାରିଥିଲା ହାତୀ । ତେଣୁ ନୂଆ ବର୍ଷର ପ୍ରଥମ ସପ୍ତାହରେ ହାତୀ ଆକ୍ରମଣରେ ୫ଟି ଜୀବନ ଯାଇଛି । ବର୍ତ୍ତମାନ ଗାଁ ଗାଁରେ ଧାନ ଖଳାରେ ବିପୁଳ ପରିମାଣର ଧାନ ମହଜୁଦ ରହିଛି । ଏକର ଏକର ଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି । ତେଣୁ ସହଜରେ ଖାଦ୍ୟ ମିଳି ଯାଉଥିବାରୁ ହାତୀପଲ ଗାଁ ଛାଡି ଜଙ୍ଗଲକୁ ଯାଉ ନାହାଁନ୍ତି ।