ଅନୁଗୋଳ:ସଂସଦରୁ ରାଜରାସ୍ତା ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ସବୁଠି ହଙ୍ଗାମା । ଦେଶରୁ ରାଜ୍ୟ ସବୁଠି ସରଗରମ ରାଜନୀତି । ରାହୁଲଙ୍କ ଲୋକସଭା ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ସମ୍ବିଧାନର 103 ଧାରା ଉଲଘଂନକୁ କଂଗ୍ରେସର ବିରୋଧ ପ୍ରକାଶ ପାଇଛି । ଏହାକୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ କମିଟିର ଅଭିଯୋଗ କରିଛି ଯେ, ଭାରତବର୍ଷରେ ବର୍ତ୍ତମାନ ଏକଛତ୍ରବାଦ ଶାସନ ଚାଲିଛି ଓ ଦେଶର ଗଣତନ୍ତ୍ର ସମ୍ପୂର୍ଣ୍ଣ ବିପନ୍ନ ହୋଇ ଯାଇଛି । ଭାରତ ଯୋଡ ଯାତ୍ରା ଫଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କେନ୍ଦ୍ର ସହ୍ୟ କରିପାରୁନଥିବା ବେଳେ ଏପରି ଚକ୍ରାନ୍ତ କରୁଥିବା କଂଗ୍ରସ ଅଭିଯୋଗ କରିଛି । ଅସହିଷ୍ଣୁ ହୋଇ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି କୋର୍ଟଙ୍କ ରାୟକୁ ଆଧାର କରି ତାଙ୍କର ସାଂସଦ ପଦ ରଦ୍ଦ କରିବା ସହ ତାଙ୍କୁ ମିଳିଥିବା ଗୃହ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଇବା ଏକ ନିନ୍ଦନୀୟ କାର୍ଯ୍ୟ । ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । ଏଥିପାଇଁ ରାଷ୍ଟ୍ରପତି, ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିଥାଏ । ଯାହା କେନ୍ଦ୍ର ସରକାର କରିନାହିଁ । ତେବେ ଏହି ପରିପ୍ରେକ୍ଷୀରେ କିଭଳି ଭାବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଖାରଜ କରିଛନ୍ତି ଲୋକସଭା ସଚିବାଳୟ ତାହା ଏକ ପ୍ରଶ୍ନବାଚୀ, କାହାର ଇସାରାରେ ଗଣତନ୍ତ୍ର କାର୍ଯ୍ୟ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଜୟନ୍ତ ସାହୁ, ଜିଲ୍ଲା ମୁଖପାତ୍ର ଗୋପାଳ ନାଥ, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୁଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।