ଦାବି ପୂରଣ ନହେଲେ ସରକାରୀ କାର୍ଯ୍ୟାଳୟରେ ଝୁଲିବ ତାଲା ଅନୁଗୋଳ: ଗ୍ରେଡ ପେ ବୃଦ୍ଧି ଦାବିରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ଦେବାକୁ ଦାବି କଲା ଅମଲା ସଂଘ । ଗ୍ରେଡ ପେ ୪୨୦୦କୁ ବୃଦ୍ଧି କରିବାକୁ ଦାବି କରି ଶୁକ୍ରବାର ଅନୁଗୋଳରେ ଶତାଧିକ ଅମଲା ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଅମଲା ସଂଘ ଦାବି: ଅମଲାମାନଙ୍କ ଲେବୁଲ 4ରୁ 9କୁ ବୃଦ୍ଧି କରାଯାଉ । ଦରମା 1900 ଟଙ୍କା ବଦଳରେ 4200 ଟଙ୍କାକୁ ଗ୍ରେଡ ପେ କରାଯାଉ । ଦୀର୍ଘଦିନ ହେବ ବିଭିନ୍ନ ଅମଲା ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଉନଥିବା ଅଭିଯୋଗ ହୋଇଛି । ଯାହା ସମସ୍ତ ଜିଲ୍ଲାସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଥିବା ସଂଘ କହିଛି । ଜନ ସାଧାରଣଙ୍କ ସେବାରେ ଅହରହ ନିଯୁକ୍ତି ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଶିକାର ହେଉଛନ୍ତି ।
ଏଥିପାଇଁ ସରକାରଙ୍କ ଉପରେ ଚାପ ପକାଇବ ପାଇଁ ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ବ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ଏକତ୍ରିତ ହୋଇ ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନ କରିବ । ସ୍ୱରକୁ ମଜଭୁତ କରାଯାଇ ସରକାରଙ୍କୁ ଏକମାସ ସାତଦିନ ପାଇଁ ମହଲତ ଦିଆଯାଇଛି । ଦାବି ପୂରଣ କରାନଗଲେ ସମସ୍ତ ଅମଲା ଆସନ୍ତା ମେ' ୨୨ରୁ ସପ୍ତାହ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରି କାମ କରିବେ । ଜୁନ ୧ ତାରିଖରୁ କଲମ ଛାଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଜିଲ୍ଲା ସଂଯୋଜକ ଲଳିତ ମୋହନ ବେହେରା, ଆବାହକ ପ୍ୟାରିମୋହନ ପ୍ରଧାନ, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ବେହେରା, ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ଉପ ସଭାପତି ମନୋଜ କୁମାର ସାହୁ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ, କନିଷ୍ଠ ରାଜସ୍ୱ ସହାୟକ ଓ ବରିଷ୍ଠ ରାଜସ୍ୱ ସହାୟକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସାରା ରାଜ୍ୟରେ ହଜାର ହଜାର କର୍ମଚାରୀ ରହିଛନ୍ତି । ସେମାନଙ୍କୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠାରୁ ମାତ୍ର ଶହେ ଟଙ୍କା ଅଧିକ ମିଳୁଥିବା ବେଳେ ସର୍ବନିମ୍ନ ଗ୍ରେଡ ପେ ବ୍ୟବସ୍ଥାରେ କାମ କରିବା ସମ୍ଭବ ନୁହେଁ ବୋଲି ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ।
ଇଟିଭି ଭାରତ, ଅନୁଗୋଳ