ଅନୁଗୋଳ: ଜିଲ୍ଲାରେ ମରୁଡି ପରିସ୍ଥିତି ମୁକାବିଲା ପାଇଁ କୃଷି ବିଭାଗ ଏବେ ତତ୍ପର ହୋଇପଡି଼ଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମରୁଡି ସ୍ଥିତି ସମୀକ୍ଷା କରିବା ପରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ କୃଷି ଓ କୃଷକମାନଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ଜିଲ୍ଲା କୃଷି ବିଭାଗ ।
ଜିଲ୍ଲା କୃଷି ବିଭାଗ ତରଫରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ଡାକି ରିଭ୍ୟୁ କରାଯାଇଥିଲା । ଏହାଛଡ଼ା ଉଠା ଜଳ ସେଚନ ବିଭାଗ, କ୍ଷୁଦ୍ର ଓ ମଧ୍ୟମ ଜଳ ସେଚନ ବିଭାଗ, ବିହନ ନିଗମ ଓ ଅନ୍ୟାନ୍ୟ କୃଷି ସମ୍ପର୍କିତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି କିଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଖୁବଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ଦିନ ମଧ୍ୟରେ ସବୁ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ ସଚଳ କରିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସେହିପରି ଆଗକୁ ଆହୁରି କ୍ଷୁଦ୍ର ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ହାତକୁ ନେବାକୁ ଜଳ ସେଚନ ବିଭାଗ ଲାଗି ପଡିଛି।