ଅନୁଗୋଳ:ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଗୋଟିଏ ଦିନରେ ଜିଲ୍ଲାରେ 152 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ବଅଁରପାଳ ଓ ପାଲଲହଡ଼ା ବ୍ଲକରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଘର ବାହାର ସବୁଠି ଲହଡି ମାରୁଛି ପାଣି ।
ତେବେ ଦୁଇ ଦିନ ଲଗାଣ ବର୍ଷାରେ ଅନୁଗୋଳ ସହର ସମେତ ଏହାର ଅନେକ ବ୍ଲକ ପ୍ରଭାବିତ ହୋଇଛି । ମୌସୁମୀ ପ୍ରଭାବରେ ଅନୁଗୋଳରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ଦେଇ ଯାଇଥିବା 55 ନଂ ଜାତୀୟ ରାଜପଥର ତୁରଙ୍ଗ ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିଭଳି ସହରର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା, ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ଏଥିସହ ପୌରାଞ୍ଚଳର ବିଭିନ୍ନ ସ୍ଥାନ ଆଦି ଜଳମଗ୍ନ ହେବା ଫଳରେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇ ଥିବା ବେଳେ ବର୍ଷା ଯୋଗୁଁ ଚାଷ ଜମି ସବୁ ଜଳମଗ୍ନ ରହିଛି । ତେବେ ଗତକାଲି(ରବିବାର) ରାତି ୮ଟା ସୁଧା ମିଳିଥିବା ତଥ୍ୟ ଅନୁସାରେ ପାଲଲହଡ଼ା 152, ବଅଁରପାଳ 185, ତାଳଚେର 13 ଓ ଅନୁଗୋଳ ଅଞ୍ଚଳରେ 152 ମିଲିଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।