ଅନୁଗୋଳ: ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ସଫଳତାରେ ଓଡିଶାକୁ 'ଭୂମି ସମ୍ମାନ' ମିଳିଛି । ଏହା ସହିତ ଦେଶର 68ଟି ଜିଲ୍ଲାକୁ ଡିଆଇଏଲଆରଏମପି ଅନ୍ତର୍ଗତ 6ଟି ବର୍ଗରେ ପ୍ଲାଟିନମ ପୁରସ୍କାର ମିଳିଛି । ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଭୂମି ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଅନୁଗୋଳ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁଗୋଳ ଜିଲ୍ଲାକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ସେଥିରୁ ଅନୁଗୋଳ ଅନ୍ୟତମ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଜମି ପଟ୍ଟାର କମ୍ପ୍ୟୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ ରୁମ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଓ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ଆଦି କ୍ଷେତ୍ରରେ ଅନୁଗୋଳ ଜିଲ୍ଲାର ୮ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଛନ୍ତି । ତେଣୁ ଭାରତ ସରକାରଙ୍କ ତରଫରୁ ଜିଲ୍ଲାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।