ଅନୁଗୋଳ: ଏଥର ମା' ଆସିଲେ ଭକ୍ତ ଦର୍ଶନ ପାଇଲେନି । ବିଦାୟ ବେଳେ ବି ମା'ଙ୍କୁ କେହି ଦର୍ଶନ କରିପାରିଲେ ନି । କାରଣ ଏଥର ଲାଗୁ ହୋଇଛି କୋରୋନା କଟକଣା । କଟକଣା ମଧ୍ୟରେ ଦୁର୍ଗତିନାସିନୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଇଥିବା ବେଳେ ଆଜି ମା'ଙ୍କ ଭସାଣି ଉତ୍ସବ ମଧ୍ୟ କଟକଣା ମଧ୍ୟରେ ପାଳିତ ହୋଇଛି ।
4ଦିନ ଧରି ମା' ଦୂର୍ଗାଙ୍କୁ ମଣ୍ଡପରେ ପୂଜା ପରେ ଆଜି(ମଙ୍ଗଳବାର) ମେଲାଣି ଦିଆଯାଉଛି । ଏଥିପାଇଁ ଅନୁଗୋଳ ସହର ବାଜା ବାଣରେ କମ୍ପି ଉଠିବା କଥା । କିନ୍ତୁ ଏଥର ସେ ସବୁ ନାହିଁ । ଯେଭଳି କଟକଣା ମଧ୍ୟରେ ଆବଦ୍ଧ ମଣ୍ଡପରେ ମା' ଙ୍କୁ ପୂଜା କରାଯାଇଥିଲା ଠିକ ସେମିତି ହାତ ଗଣତି କେତେଜଣ କର୍ମକର୍ତ୍ତାଙ୍କ ମଧ୍ୟରେ ମା'ଙ୍କୁ ଭସାଣି କରାଯାଇଛି । ସହରର ପ୍ରମୁଖ ମେଢ ହୁଲୁରିଶିଙ୍ଘା ହେଉ କି ହେମସୁରପଡା , ଅମଲାପଡା, ଶିମିଳିପଡା ଓ ଦଶହରା ପଡିଆ ଆଦି ପୂଜା ମେଢ ନିଜ ନିଜ ମଣ୍ଡପରୁ ବାହାରି ନିକଟସ୍ଥ ଜଳାଶୟରେ ଭସାଣି କରିଥିଲେ । କେବଳ ଘଣ୍ଟ ଓ ଢୋଲ ବଜାଇ ମା' ଙ୍କୁ ମେଲାଣି ଦେଇଛନ୍ତି ଅନୁଗୋଳ ବାସୀ ।