ଅନୁଗୋଳ: ଏବେ ସମସ୍ତଙ୍କୁ କନ୍ଦାଉଛି ପିଆଜ । ପିଆଜର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସାରା ରାଜ୍ୟରେ ଏଭଳି ସ୍ଥିତି ଥିବା ବେଳେ ଅନୁଗୋଳ ଜିଲ୍ଲାର ଯେଉଁ ଅଞ୍ଚଳ ପିଆଜ ଚାଷ ପାଇଁ ପ୍ରସିଦ୍ଧ ଏବେ ସେଠାରେ ଚାଷୀ ହାତ ଟେକି ବସିଛି । ରାତି ପାହିଲେ ବଢୁଛି ଦର। କିଛି ମାସ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୮୦ ଟଙ୍କାରେ ପହଞ୍ଚିଛି। କିଛି ମାସ ତଳେ କିଲେ ପିଆଜକୁ ମାତ୍ର ୫-୬ ଟଙ୍କାରେ ବିକ୍ରି କରିଥିବା ବେଳେ ଏବେ ସେହି ପିଆଜକୁ ୮୦ ଟଙ୍କାରେ କିଣୁଛନ୍ତି ଚାଷୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଏପଟେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପ୍ରଭାବିତ ହେଉଛନ୍ତି ପ୍ରାୟ 20 ପଞ୍ଚାୟତର ଚାଷୀ ।
ଆକାଶ ଛୁଆଁ ପିଆଜ ଦର: ନିରୁତ୍ସାହିତ ପିଆଜ ଚାଷୀ - ଅନୁଗୋଳ ଜିଲ୍ଲାର ପିଆଜ ଚାଷୀଙ୍କ ଦୁଃଖ
ଶସ୍ତାରେ ବିକି ଥିଲେ ଏବେ ଚଢା ଦରରେ କିଣିବାକୁ ପଡୁଛି । ଗୋଟିଏ ଧାଡିରେ କହିଲେ, ଇଏ ହେଉଛି ଅନୁଗୋଳ ଜିଲ୍ଲାର ପିଆଜ ଚାଷୀଙ୍କ ଦୁଃଖ । ବହୁ ପରିଶ୍ରମରେ ଉତ୍ପାଦନ କରିଥିବା ପିଆଜକୁ କିଲୋ ୫ରୁ୮ ଟଙ୍କାରେ ବିକ୍ରି କରିଥିବା ଚାଷୀ ଏବେ ପିଆଜ କିଣିବା ବେଳକୁ କାନ୍ଦୁଛି । କାହିଁକି ନା କିଲୋ ପିଛା ଦେବାକୁ ପଡୁଛି ୮୦ ଟଙ୍କା । ଅଧିକ ପଢନ୍ତୁ...
ଅନୁଗୋଳ ଜିଲ୍ଲା ଦିନେ ପିଆଜ ଚାଷ ପାଇଁ ବେଶ ନାଁ କରିଥିଲା। ଜିଲ୍ଲାର ବଡକେରା ଠାରୁ ବଇଂଣ୍ଡା ପର୍ଯ୍ୟନ୍ତ ପ୍ରାୟ ୨୦ ରୁ ଅଧିକ ପଞ୍ଚୟତର ସହ ସହ ଏକର ଜମିରେ କେବଳ ପିଆଜ ଚାଷ ହେଉଥିଲା । ଚାଷୀ ପିଆଜ ବିକି ଭଲ ଲାଭବାନ ମଧ୍ୟ ହେଉଥିଲା । ହେଲେ ଏବେ ଆଉ ସେ ପିଆଜ ଚାଷ ନାହିଁ । ଯେତେବେଳେ ବଜାରରେ ପିଆଜ ଦର ୮୦ ରେ ପହଞ୍ଚିଛି ସେତେବେଳେ ଏଠାକାର ଚାଷୀ ପିଆଜ ଚାଷ ଠାରୁ ମୁହଁ ଫେରାଇ ନେଇଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ପିଆଜ ଘର ଦିଆଯାଇ ନଥିବା ଅଭିଯୋଗ ହେଉଛି। ପିଆଜ ଚାଷୀ ସରକାରୀ ପ୍ରକଳ୍ପ ନେଇ ଗୁରୁତର କ୍ଷତିର ସମ୍ମୁଖୀନ ହେବା ପିଆଜ ଚାଷ ପ୍ରତି ବିମୁଖତାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି।
ସୂଚନା ଅନୁସାରେ ଏଠାକାର ପିଆଜ ଅମଳକୁ ଦୃଷ୍ଟିରେ ରଖି 1998 ମସିହାରେ ମୁଖ୍ୟମନ୍ତ୍ରୀ ପଦରେ ଥିବା ସ୍ୱର୍ଗତ ଜାନକୀ ପଟ୍ଟନାୟକ ଜରପଡା ଠାରେ ଏକ ପିଆଜ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରିଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଖତ ଖାଇ ଗଲାଣି। ଏହାର ପରିଚଳା ଓ ତଦାରଖ ଦାୟିତ୍ୱ ନେଇଥିବା RMCର ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ପିଆଜ ସଂରକ୍ଷଣ କେନ୍ଦ୍ର ମାଟିରେ ମିଶିବାକୁ ବସିଲାଣି। ସେ ସମୟରେ ଏହି ସବୁ ଅଞ୍ଚଳର 6 ହଜାର 500 ହେକ୍ଟର ଜମିରୁ 62 ହଜାର ମେଟ୍ରିକ ଟନ ପିଆଜ ଉତ୍ପାଦନ ହେଉଥିଲା । ଏବେ ତାର ଆଉ ଦେଖା ନାହିଁ । ଦିନେ ଯେଉଁ ଚାଷୀ ପିଆଜ ଚାଷ କରି ବଜାରରେ ବିକ୍ରୀ କରୁଥିଲା ଏବେ ସେ ପିଆଜ କିଣି ଖାଇବାକୁ ବାଧ୍ୟ ହେଉଛି । ତେବେ ଜଳ ବାୟୁ ପରିବର୍ତ୍ତନ ପାଇଁ ଅମଳ କମି ଯାଉଛି ବୋଲି ଏନେଇ ଉଦ୍ୟାନ ବିଭାଗ ମତ ରଖିଛି । ପ୍ରତିବର୍ଷ ଯେଉଁଭଳି ଭାବେ ପିଆଜର ଦର ବୃଦ୍ଧି ଘଟୁଛି ତାର ସମାଧାନ ପାଇଁ ଯଦି ସରକାର ପିଆଜ ଚାଷୀଙ୍କୁ ପ୍ରୋତ୍ସାହିତ କରନ୍ତେ ତବେ ଏ ଦର ବୃଦ୍ଧି କେତେକାଂଶରେ ରୋକାଯାଇ ପାରନ୍ତା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ