ଅନୁଗୋଳ: ଜିଲ୍ଲାର ଚାଷୀଙ୍କୁ କନ୍ଦାଉଛି ଚକବନ୍ଦୀ ବ୍ୟବସ୍ଥା । ନିଜର ଜମି ଥାଇ ବି ଆଜି ସେମାନେ ଜମି ନଥିବା ଲୋକଙ୍କ ଭଳି ବଞ୍ଚୁଛନ୍ତି ।ଯାହାପାଇଁ ସେମାନେ କରିଛନ୍ତି ପ୍ରତିବାଦ । ଚକବନ୍ଦୀ ବ୍ୟବସ୍ଥା ଉଚ୍ଛେଦ ଦାବି କରି ଗତକାଲି ହଜାର ହଜାର ଚାଷୀ କରିଛନ୍ତି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଜିଲ୍ଲାର ୯୨ଟି ମୌଜାର ଚାଷୀଙ୍କୁ କନ୍ଦାଇଲାଣି ସରକାର ଲାଗୁ କରିଥିବା ଚକବନ୍ଦୀ ବ୍ୟବସ୍ଥା । ସରକାର ପରେ ସରକାର ପରିବର୍ତ୍ତନ ହୋଇ ଥିଲେ ବି ଚକବନ୍ଦୀ ବ୍ୟବସ୍ଥାର ହୋଇ ନାହିଁ ପରିବର୍ତ୍ତନ । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତେଜୁଥିବା ଅସନ୍ତୋଷ ତୀବ୍ର ରୂପ ନେଇଛି ।
୯୨ଟି ମୌଜାର ଚାଷୀ ଗତକାଲି ଦଳମତ ନିର୍ବିଶେଷରେ ଏକାଠି ହୋଇ କରିଛନ୍ତି ପ୍ରତିବାଦ । ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ସେମାନେ ସହର ପରିକ୍ରମା କରିବା ପରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ସେଠାରେ ପ୍ରତିବାଦ ସମାବେଶ କରିବା ସହ ଚକବନ୍ଦୀ ପାଇଁ ସେମାନେ ଭୋଗୁଥିବା ଅସୁବିଧା ସମ୍ପର୍କରେ କହିଥିଲେ । ସରକାରୀ ବ୍ୟବସ୍ଥା କିଭଳି ସେମାନଙ୍କୁ ଅସୁବିଧାରେ ପକାଉଛି ସେ ନେଇ ବର୍ଷିଥିଲେ । ୧୯୭୨ ମସିହାରୁ ସେମାନେ ଚକବନ୍ଦୀ ପାଇଁ ଅସୁବିଧା ଭୋଗୁଛନ୍ତି । ନିଜର ଜମି ଥାଇ ବି ତାହା ଅନ୍ୟର ଦଖଲରେ ରହିଛି ।
ସେମାନେ ଚାହିଁଲେ ବି ତାକୁ କୌଣସି କାମ ବ୍ୟବହାର କରିପାରୁ ନାହାଁନ୍ତି । ଖାଲି ସେତିକି ନୁହେଁ ସରକାର କେବଳ ଚକର ରେକର୍ଡ ଦେଇଥିବା ବେଳେ ଜମିର ମୂଳ ରେକର୍ଡ ଅନ୍ୟ ନାଁରେ ଥିବାରୁ ତାକୁ ମଧ୍ୟ ଅସୁବିଧା ସମୟରେ ବିକ୍ରି କରି ପାରୁନାହାଁନ୍ତି । ଯାହାକୁ ନେଇ ଏହି ୯୨ ମୌଜାର ଚାଷୀ ସରକାରୀ ଦପ୍ତର ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ସୁଧା କେହି ତାଙ୍କ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।