ଅନୁଗୋଳ: ଯୁଆଡ଼େ ଦେଖିଲେ ଫୁଲ କୋବିର କ୍ଷେତ । କ୍ଷେତରେ ସତେଜ କୋବିର ସମ୍ଭାର । ଦେଖିଲେ ଆଖି ଲାଖିଯାଉଛି । ସକାଳୁ ସଂଜ ଯାଏ କ୍ଷେତରେ ଭିଡ଼ । ପୁରୁଷ, ମହିଳା, ପିଲାଛୁଆ ସମସ୍ତେ କାମରେ ବ୍ୟସ୍ତ। ପୁରୁଷ ପୁରୁଷ ଧରି ଚାଲି ଆସିଛି କୋବି ଚାଷ । ଏହି ଚାଷ ହିଁ ସେମାନଙ୍କ ଜୀବନ ଜୀବିକା ସବୁକିଛି । ଏଭଳି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲାର କୁଲେଇ ଯେଉଁଠି ବର୍ଷର ସବୁ ସମୟରେ କେବଳ ଫୁଲ କୋବି ଚାଷ କରାଯାଉଛି ।
ଅନୁଗୋଳ ଜିଲ୍ଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଉପର ମୁଣ୍ଡରେ ଅବସ୍ଥିତ କୁଲେଇ ଗାଁ । ଗାଁରେ ରୁହନ୍ତି ପ୍ରାୟ 70 ପରିବାର। ସମସ୍ତେ କେବଳ ଚାଷ ଉପରେ ନିର୍ଭର କରନ୍ତି । ସବୁଠାରୁ ବଡ କଥା ହେଉଛି ଏଠାରେ କେବଳ ଫୁଲ କୋବି ଚାଷକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ଗାଁର ପାଖାପାଖି 100 ଏକରରୁ ଅଧିକ ଜମିରେ ଫୁଲ କୋବି ଚାଷ କରାଯାଉଛି । ଅନ୍ୟ ସ୍ଥାନରେ ବର୍ଷକୁ ଥରେ କିମ୍ବା ଦୁଇଥର କୋବି ଉତ୍ପାଦନ ହେଉଥିବାବେଳେ ଏଠି କିନ୍ତୁ ବର୍ଷ ତମାମ କୋବି ଉତ୍ପାଦନ କରାଯାଏ । କହିବାକୁ ଗଲେ ବର୍ଷକୁ 4 ଥର କୋବି ଉତ୍ପାଦନ କରନ୍ତି ଏମାନେ । କୃଷି କିମ୍ବା ଉଦ୍ୟାନ ବିଭାଗ ତରଫରୁ କୌଣସି ଜ୍ଞାନକୈାଶଳ, ସାର, ଔଷଧ ନମିଳିଲେ ବି ନିଜ ପ୍ରଚେଷ୍ଠାରେ ଏମାନେ ବର୍ଷ ତମାମ ଚାଷ କରନ୍ତି । କୁହାଯାଏ ଗାଁ ବସିବା ଦିନୁ ଲୋକେ ଫୁଲ କୋବି ଚାଷ ଉପରେ ନିର୍ଭର କରନ୍ତି ।