ଓଡିଶା

odisha

ETV Bharat / state

ବିପଦରେ ପ୍ରାଚୀନ ସ୍ବପ୍ନେଶ୍ବର ମନ୍ଦିର - ଅନୁଗୋଳ

ସୁରକ୍ଷା ଅଭାବରୁ ଛଅ ଶହ ବର୍ଷ ତଳର ପ୍ରାଚୀନ ମନ୍ଦିର ନାଳରେ ଲୀନ ହେବାକୁ ଯାଉଛି । ପ୍ରାଚୀନ କୀର୍ତ୍ତିରାଜୀକୁ ସୁରକ୍ଷା ଦେବା ତଥା ଭଗ୍ନ ଅବସ୍ଥାରେ ଥିବା ଐତିହ୍ୟସ୍ଥଳୀର ପୁନରୁଦ୍ଧାର କରିବାକୁ ସରକାର ବହୁ ପଦକ୍ଷେପ ନେଉଛନ୍ତି । କିନ୍ତୁ ଅନୁଗୋଳ ଜିଲ୍ଲାର ପୁରୁଣାଗଡ଼ରେ 1127 ମସିହାରେ ନିର୍ମିତ ସ୍ବପ୍ନେଶ୍ବର ମନ୍ଦିର ପ୍ରତି କାହାର ନଜର ପଡ଼ୁନାହିଁ । ଫଳରେ ପ୍ରାଚୀନ ମନ୍ଦିରର ସୁରକ୍ଷା ପ୍ରତି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 6, 2019, 5:20 PM IST

ଅନୁଗୋଳ: ଏହା ହେଉଛି ୧୧୨୭ ମସିହାର ପ୍ରାଚୀନ ମନ୍ଦିର । ଅନୁଗୋଳର ରାଜା କନକ ସିଂ ନିଜ ରାଣୀଙ୍କ ସ୍ମୃତି ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ । ସେତେବେଳେ ମନ୍ଦିରଟି ଅମୁହାଁ ଥିବା ବେଳେ ପରେ ଗୋଟିଏ ପଟେ ମୁହଁ ଖୋଲା ଯାଇଥିଲା । ମନ୍ଦିର ପାଖକୁ ଲାଗି ଅବିକଳ ମନ୍ଦିର ସଦୃଶ ରୋଷଶାଳା , ପାଣି ପାଇଁ କୂଅ ଏବଂ ପୋଖରୀ ମଧ୍ୟ ନିର୍ମାଣ ହୋଇଥିଲା ।

ତେବେ ମନ୍ଦିରର ରକ୍ଷଣାବେକ୍ଷଣା ଅଭାବରୁ ଏବେ ମନ୍ଦିର ଓ ରୋଷଶାଳା ଭଗ୍ନ ଅବସ୍ଥାରେ । ସେହିପରି କୂଅଟି ମଧ୍ୟ ପୋତି ହୋଇ ଗଲାଣି । ଏବେ ମନ୍ଦିର ପାର୍ଶ୍ବରେ ବହି ଯାଇଛି ଏକ ନାଳ । ପ୍ରତିବର୍ଷ ନାଳର କୂଳ ଖାଉଥିବାରୁ କିଛି ଦିନ ମଧ୍ୟରେ ମନ୍ଦିରଟି ନାଳରେ ଲୀନ ହେବାର ଆଶଙ୍କା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦିନେ ଅନୁଗୋଳ ରାଜ୍ୟର ରାଜଧାନୀ ଥିଲା ପୁରୁଣାଗଡ଼ । ଏବେ ସେ ରାଜଧାନୀ ନାହିଁ କି ରାଜପ୍ରସାଦର ଭଗ୍ନାବଶାସ ମଧ୍ୟ ଦେଖିବାକୁ ମିଳୁନି । କିନ୍ତୁ ରାଜା ମହାରାଜା ଦ୍ବାରା ନିର୍ମିତ କିଛି କିମ୍ବଦନ୍ତୀ ରହି ଯାଇଛି । ସ୍ବପ୍ନେଶ୍ବର ମନ୍ଦିର ଯାହାର ଜ୍ଵଳନ୍ତ ଉଦାହରଣ । ତେଣୁ ଏଭଳି ଏକ ପ୍ରାଚୀନ ତଥା ଐତିହ୍ୟ ସମ୍ପନ୍ନ ମନ୍ଦିର ଏବେ ଅବହେଳିତ ହୋଇ ନାଳରେ ଲୀନ ହେବାକୁ ବସିଲାଣି । ମନ୍ଦିରଟି ଦେବତ୍ତୋର ବିଭାଗ ଅଧୀନରେ ଥିବା ସତ୍ତ୍ବେ ଏଥିପ୍ରତି କାହାରି ନଜର ନାହିଁ ।

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ମନ୍ଦିର ଦେବୋତ୍ତର ର ସ୍ଥିତି ଅନୁଧ୍ୟାନ ପରେ କିଭଳି ତାର ରକ୍ଷଣାବେକ୍ଷଣ କରାଯାଇ ପାରିବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରାୟ ଛଅ ଶହ ବର୍ଷ ପୁରୁଣା ମନ୍ଦିରଟି ଅନେକ କଥା, ଅନେକ ଗାଥା ବହନ କରୁଛି । ଏଭଳି କୀର୍ତ୍ତିରାଜି ବଞ୍ଚିରହିବାର ଆବଶ୍ୟକତା ରହିଛି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details