ଅନୁଗୋଳ: ତାଳଚେର MCL କମ୍ପାନୀର କ୍ବାଟରରୁ ଏକ ବଡ ଧରଣର ଚୋରି ହୋଇଥିବା ଅଭିଯୋଗ । କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୂପା ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଥିବା ଅଭିଯୋଗ ଅଣିଲେ MCL ଅଧିକାରୀ । ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କୋଲିୟାରି ଥାନା ଅଞ୍ଚଳରେ । ହାଇ ସିକ୍ୟୁରିଟି ଯୋନ୍ ମଧ୍ୟରେ ଥିବା MCL କ୍ୱାର୍ଟରରୁ ଚୋରିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ MCLରେ ଚାକିରି କରୁଥିବା ବେଳେ କ୍ୱାର୍ଟର ନମ୍ବର ବି-52ରେ ରୁହନ୍ତି । ତେବେ ଗତକାଲି(ବୁଧବାର) ସେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କ୍ୱାଟରରେ ତାଲା ପକାଇ ନତଡା ଗାଁକୁ ଯାଇଥିଲେ । ଆଜି ସକାଳେ ସେ କ୍ବାଟରକୁ ଫେରି କଵାଟ ଭଙ୍ଗା ଯାଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିବା ବେଳକୁ ଘରର ଆଲମିରା ଓ ଅନ୍ୟାନ୍ୟ ଆସବାବ ପତ୍ର ଏଣେତେଣେ ପଡିଥିବା ବେଳେ, ଲକ୍ଷାଧିକ ଟଙ୍କା, ଘରେ ଥିବା ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ କୋଲିଆରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ କବାଟ ଭାଙ୍ଗି ଘରେ ପଶି ଏତେ ବଡ଼ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
MCL ଅଧିକାରୀ ସୁଦର୍ଶନ ନାୟକ କହିଛନ୍ତି, "ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ ମୁଁ ଗାଁକୁ ଯାଇଥିଲି । ହେଲେ ରାତିରେ ଚୋର ଆସି ଘରେ କଳାକନା ବୁଲାଇ ଦେଇଥିବା ଘର ପାଖ ପଡୋଶୀ ମୋତେ ସୂଚନା ଦେଇଥିଲେ । ଘରକୁ ଆସି ଦେଖିବା ବେଳକୁ ଘରର ତାଲି ଭଙ୍ଗା ଯାଇଥିବା ବେଳେ କବାଟ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଘରେଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି କରିଛନ୍ତି ଦୁର୍ବୃତ୍ତ ।"