ଅନୁଗୋଳ:ଦୁଇ ଦିନ ପରେ ଆଜି(ସୋମବାର) ସ୍ବାଭାବିକ ହୋଇଛି ତାଳଚେର ଅଞ୍ଚଳର କୋଇଲା ଖଣି କାର୍ଯ୍ୟ । ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଖଣି ବନ୍ଦ ଥିବାରୁ କୋଟି କୋଟି ଟଙ୍କା ରାଜସ୍ବ ହାନି ହୋଇଥିଲା । ହେଲେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ୟାର ସମାଧାନ ହେବା ପରେ ଖଣି କାର୍ଯ୍ୟ ପୁଣି ଥରେ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି ।
ଲିଙ୍ଗରାଜ କୋଇଲା ଖଣିରେ ତାଳଚେର ଅଞ୍ଚଳର ପ୍ରାୟ ୮୫ଜଣ ଜମିହରା ପ୍ରଜା ଦୀର୍ଘ ଦିନ ହେଲା ଠିକା ଶ୍ରମିକ ଭାବେ କାମ କରି ଆସୁଥିଲେ । ତେବେ ସେମାନଙ୍କୁ ଅଚାନକ ଛଟେଇ କରି ଦିଆଯାଇଥିଲା । ଏହାର ପ୍ରତିବାଦରେ ସମସ୍ତ ଖଣିର ଠିକା ଶ୍ରମିକ ମାନେ ଏକାଠି ହୋଇ ଖଣି କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତାଳଚେର ବିଧାୟକ ନିଜେ ସେଠାକୁ ଯାଇ MCL କର୍ତ୍ତୃପକ୍ଷଙ୍କୁ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଚେତାବନୀ ଦେଇଥିଲେ ।