ଓଡିଶା

odisha

ଲକଡାଉନରେ ଭୋକିଲାଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର

ଅନୁଗୋଳ ଜିଲ୍ଲାରେ ଦୈନିକ ପ୍ରାୟ ୮ଶହରୁ ଅଧିକ ଗରିବ ଲୋକ ଆହାର କେନ୍ଦ୍ରରୁ ଦାନା ମୁଠାଏ ଖାଇ ବଞ୍ଚି ରହିଛନ୍ତି । ଅନୁଗୋଳ ସହରାଞ୍ଚଳରେ ଥିବା 6ଟି ଆହାର କେନ୍ଦ୍ରରୁ ପ୍ରସ୍ତୁତ ଖାଦ୍ୟ ସେବା ପାଇଁ ଦିନ ମଜୁରିଆ, ବୁଲା ବେପାରୀ ଏବଂ ବାହାରେ କାମ କରି ଚଳୁଥିବା ଗରିବମାନେ ଉପକୃତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : May 16, 2021, 2:43 PM IST

Published : May 16, 2021, 2:43 PM IST

ଆହାର କେନ୍ଦ୍ର
ଆହାର କେନ୍ଦ୍ର

ଅନୁଗୋଳ: କୋରୋନା କାଳରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାର ବେଶୀ ପ୍ରଭାବ ପଡିଛି ଦିନ ମଜୁରିଆ, ବୁଲା ବେପାରୀ ଏବଂ ବାହାରେ କାମ କରି ଚଳୁଥିବା ଗରିବମାନଙ୍କ ଉପରେ । ଲକଡାଉନରେ ସବୁ ଦୋକାନ ବଜାର ବନ୍ଦ ରହିଥିବାରୁ ଖାଇବାରୁ ଗଣ୍ଡେ ପାଉ ନାହାନ୍ତି ସେମାନେ । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ଥିବା ସରକାରୀ ଆହାର କେନ୍ଦ୍ର ସେମାନଙ୍କ ପାଇଁ ପାଲଟିଛି ଜୀବନ ରକ୍ଷକ। ଅନୁଗୋଳ ଜିଲ୍ଲାରେ ଦୈନିକ ପ୍ରାୟ ୮ଶହରୁ ଅଧିକ ଏଭଳି ଲୋକ ଆହାର କେନ୍ଦ୍ରରୁ ଦାନା ମୁଠାଏ ଖାଇ ବଞ୍ଚି ରହିଛନ୍ତି ।

ଆହାର କେନ୍ଦ୍ର ଯୋଗାଉଛି ଆହାର

ଲକଡାଉନ, ସଟଡାଉନ ଏବଂ ନାଇଟ କର୍ଫ୍ୟୁ ଭଳି ସ୍ଥିତିରେ ଛୋଟ ମୋଟ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରର ହୋଟେଲ ସବୁ ବନ୍ଦ । ଗାଁ ଗଣ୍ଡାରୁ ଡାକ୍ତରଖାନା ବା ଅନ୍ୟ କୌଣସି ଜରୁରୀ କାମରେ ସହରକୁ ଆସୁଥିବା ଲୋକଟି କଣ ଖାଇବ ଚିନ୍ତାରେ ପଡି ଯାଉଛି । ସେପଟେ ସହରରେ ଶ୍ରମିକ ଭାବେ କାମ କରୁଥିବା ଗରିବ ଦିନ ମଜୁରିଆ ହେଉ ଅଥବା ସାଇକଳରେ ବୁଲି ବୁଲି ବିକ୍ରି କରୁଥିବା ବୁଲା ବିକାଳୀ ସମସ୍ତେ ଦାନା ମୁଠାଏ କେଉଁଠୁ ପାଇବେ ତାକୁ ନେଇ ଚିନ୍ତାରେ । ତେଣୁ ଏଭଳି ସ୍ଥଳେ ସେମାନଙ୍କ ଜୀବନ ରକ୍ଷକ ସାଜିଛି ସରକାର ଆହାର କେନ୍ଦ୍ର। ମାତ୍ର ୫ଟଙ୍କା ଦେଇ ସେମାନେ ପେଟପୁରା ଆହାର ପାଇ ପାରୁଛନ୍ତି। ଯାହା ଫଳରେ ସେମାନେ ନିଜେ ବଞ୍ଚିବା ସହ ଦୁଇ ପଇସା ରୋଜଗାର କରି ନିଜ ପରିବାରକୁ ମଧ୍ୟ ବଞ୍ଚାଇ ପାରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ସୁବିଧା ସବୁଦିନେ ମିଳୁଥିଲେ ମଧ୍ୟ ବିଶେଷ ଭାବରେ କୋରୋନା ସଂଙ୍କଟ ସମୟରେ ଏହା ଅନେକଙ୍କ ଭୋକ ମେଣ୍ଟାଇଛି ।

ଜିଲ୍ଲାର ଅନୁଗୋଳ, ଆଠମଲ୍ଲିକ, ତାଳଚେର ଓ ପାଲଲହଡା ଆଦି ସହରାଞ୍ଚଳରେ ସମୁଦାୟ ୬ଟି ଆହାର କେନ୍ଦ୍ର ରହିଛି । ସେଠାରେ ସକାଳ ୧୧ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖାଦ୍ୟ ଦିଆଯାଉଛି। ସନ୍ଧ୍ୟାରେ ମଧ୍ୟ ୭ଟା ରୁ ୯ଟା ପର୍ଯ୍ୟନ୍ତ ଖାଦ୍ୟ ମିଳୁଛି। ବିଶେଷ କରି ଏହି ସବୁ ସହଞ୍ଚାଳରେ ବସଷ୍ଟାଣ୍ଡ ଏବଂ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କର ସୁବିଧା ହୋଇଛି । ବିଭିନ୍ନ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ସୁବିଧାରେ ଖାଦ୍ୟ ପାଇ ପାରୁଛନ୍ତି। କୋରୋନା କଟକଣା ସମୟରେ ଆହାର କେନ୍ଦ୍ର ନଥିଲେ ଶହ ଶହ ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡି ଥାଆନ୍ତା । ମାତ୍ର ଦିନ ମଜୁରିଆ ଓ ବୁଲା ବିକାଳୀଙ୍କ ମୁହଁରେ ହସ ଫୁଟାଇଛି ଆହାର କେନ୍ଦ୍ର। ସରକାରଙ୍କ କଟକଣା ଭିତରେ ବି ଆହରକେନ୍ଦ୍ରକୁ ଖୋଲା ରଖିବାକୁ ଅନୁମତି ଦେଇଥିବାରୁ ବହୁ ଶ୍ରମିକ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details