ଅନୁଗୋଳ: ଜିଲ୍ଲାରେ ଶିକାରୀର ଶିକାର ସାଜୁଛି ମଣିଷ । ଶିକାର ପାଇଁ ବିଛା ଯାଉଥିବା ବିଦ୍ୟୁତ ତାର ନେଉଛି ଲୋକଙ୍କ ଜୀବନ । ଗତ ଦୁଇ ସପ୍ତାହ ତଳେ ନିଜେ ଶିକାର ପାଇଁ ବିଛାଇ ଥିବା ତାରରେ ଲାଗି ଜଣେ ଶିକାରୀର ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ପୁଣି ଏହି ବିଦ୍ୟୁତ ତାରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଅଞ୍ଚଳରେ । ମୃତ ଚାଷୀ ଜଣକ ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ମୋହନ ରାଜପୁତ ।
ସୂଚନାଯୋଗ୍ୟ, ମୋହନ ନିଜ କ୍ଷେତରେ ପାଣି ଦେବାକୁ ଘରୁ ବିଲକୁ ଯାଇଥିବାବେଳେ ସେଠାରେ କେହି ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳସୂରୁପ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବନ୍ତଳା ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବିଦ୍ୟୁତ ତାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଏହି ତାର ବିଛାଇ ଥିଲା ସେ ସମ୍ପର୍କରେ କିଛି ଜଣାପଡି ନାହିଁ ।