ଅନୁଗୋଳ: ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଥିବା 5ଟି ସଚିବ ଆଜି ଅନୁଗୋଳ ବିଜୁ ମୈଦାନରେରେ କଲେଜ ଛାତ୍ରଛାତ୍ରୀଙ୍କ ସହ ନିଜର ଅନୁଭୂତି ବଖାଣିବା ସହ ସେମାନକୁ ଶ୍ରେଷ୍ଠ ହେବାକୁ ପରାମର୍ଶ ଦେଇଛନ୍ତି । ତାଳଚେର ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ୩ଟି ପର୍ଯ୍ୟାୟରେ ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହାସହ ଏକ ଜନସଭାରେ ଲୋକଙ୍କ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଛି ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଳଚେର ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚିଥିଲେ । ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନଙ୍କ ସହ ମନ୍ଦିରର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଯାହା ଆବଶ୍ୟକ କରାଯିବ ବୋଲି କହିଥିଲେ। ଗଞ୍ଜାମରେ ଯେମିତି ତାରାତାରିଣୀ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସୁନ୍ଦର କରିଛନ୍ତି ତାଠାରୁ ଆହୁରି ଅଧିକ ସୁନ୍ଦର ହିଙ୍ଗୁଳା ମନ୍ଦିର କରାଯିବ ବୋଲି କହିଥିଲେ । ଏହାପରେ ତାଳଚେର କଲେଜ ପଡ଼ିଆରେ ଛାତ୍ରଛାତ୍ରୀ ଓ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ସହ ମିଶିଥିଲେ। ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଆସନ୍ତା ୭ଦିନ ମଧ୍ୟରେ ସମସ୍ତଙ୍କର ଅଭିଯୋଗ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ।
ଏହାପରେ ଛେଣ୍ଡିପଦାରେ ଏକ ସାଧାରଣ ସଭା କରିଥିଲେ। ସଭାରେ ହଜାର ହଜାର ସଂଖ୍ୟାରେ ମହିଳା ଗୋଷ୍ଠୀ ସଦସ୍ୟା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ସେନେଇ ମହିଳାମାନଙ୍କୁ କହିବା ସହ ସେମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ତେବେ ଦୀର୍ଘ ଦିନ ହେଲା ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା। ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ଭିକେ ପାଣ୍ଡିଆନ ସେଠାରେ ଏହି ଦାବି ଶୁଣିବା ମାତ୍ରେ ଭିଡିଓ କଲିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।