ଅନୁଗୋଳ: 2024 ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳୁଛି । ରାଜନୈତିକ ଦଳ ଗୁଡିକ ଏବେ ଠାରୁ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି । କର୍ମୀ ଓ ନେତା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଗୁଡିକ ସଭା ସମିତି ଓ ପଦଯାତ୍ରା କରି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଆଶାୟୀମାନେ ପ୍ରାର୍ଥୀ ହେବା ପାଇଁ ଆରମ୍ଭ କରିଛନ୍ତି ଦୌଡ଼ । ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜର ଆଶା ଜାହିର କରୁଛନ୍ତି । ଏହାରି ମଧ୍ୟର୍ ଚର୍ଚ୍ଚାରେ ଅଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ।
ଛେଣ୍ଡିପଦାରେ ଏସବୁ ରହିଛି ମୁଖ୍ୟ ସମସ୍ୟା: ତେବେ ଅନୁଗୋଳ ଜିଲ୍ଲାରେ ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ନମ୍ବର-୬୨ରେ ଥିବା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଅଞ୍ଚଳ ଜଙ୍ଗଲ ଅଧ୍ୟୁଷିତ । କୃଷି ଲୋକଙ୍କର ମୁଖ୍ୟ ଜୀବିକା । ଏଠାରେ ଏବେ ୧୨ରୁ ଅଧିକ କୋଇଲା ଖଣି ଖନନ କରାଯିବ । ଦୁଇ ତିନିଟି ଖଣି ଖନନ କାମ ମଧ୍ୟ ଆରମ୍ଭ ହୋଇ ଗଲାଣି । ତେଣୁ ପ୍ରଦୂଷଣ, ବିସ୍ଥାପନ ଓ ଜୀବନ ଜୀବିକା ହେଉଛି ଏ ଅଞ୍ଚଳର ପ୍ରମୁଖ ସମସ୍ୟା ।
ଅନୁସୂଚିତ ଜାତି(SC) ପାଇଁ ସିଟ୍ ସଂରକ୍ଷିତ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୨ଟି ପଞ୍ଚାୟତ ଏହିପରି ମୋଟ ୪୬ଟି ପଞ୍ଚାୟତ ଅଛି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨୦୩୨୫୭ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୯୭୧୦୫ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦୬୧୫୨ ଅଛନ୍ତି । ଏହି ଆସନଟି ବହୁ ଦିନରୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଭାବେ ଚାଲି ଆସିଛି । ତେଣୁ ପ୍ରତ୍ୟକ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଛାଡି ସ୍ୱାଧୀନ ଓ ଅନ୍ୟ ଦଳୀୟ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ଅଧିକ ରହୁଛି ।
ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର: ଯଦି ଗତ ୨୦୧୯ ସାଧାରଣ ନିର୍ବାଚନ କଥା ଦେଖାଯାଏ, ତେବେ ବିଧାୟକ ପ୍ରାର୍ଥୀ ଭାବେ ଏଠାରେ ୮ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ୭୪୯୧୧ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଗସ୍ତି ବେହେରାଙ୍କ ଠାରୁ ୬୭୯୪ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ଅଗସ୍ତି ବେହେରା ୬୮୧୧୭ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସର ସସ୍ମିତା ବେହେରା ୧୬୫୮୮ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିଲା।
ଟିକଟ ଆଶାରେ ଯୁବ ପ୍ରାର୍ଥୀ: ୨୦୧୯ ନିର୍ବାଚନ ଆଉ ବର୍ତ୍ତମାନକୁ ଦେଖିଲେ ଏହା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ସାରିଛି । ବିଭିନ୍ନ ଦଳର ନେତୃତ୍ୱ ବଦଳିଛି । ଯୁବ କର୍ମୀମାନେ ଆଗେଇ ଆସିଛନ୍ତି । ଆଶାୟୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଭୋଟରମାନେ ଦ୍ଵନ୍ଦରେ ରହିଛନ୍ତି । ଏଥର ସେହି ନିର୍ବାଚନ ମଣ୍ଡଳୀର ବାଗେଡ଼ିଆ ଅଞ୍ଚଳର ଯୁବ ସମାଜସେବୀ ଜଳଧର ସେଠୀ ବିଜେଡିରୁ ଟିକେଟ ପାଇଁ ଆଶାବାନ୍ଧି ବସିଛନ୍ତି । ସେ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଆଦି ଲଗାଇ ନିଜର ପ୍ରଚାର ଆରମ୍ଭ କଲେଣି । ନିଜର ସଙ୍ଗଠନ ସୁଦୃଢ଼ କରୁଛନ୍ତି । ବୃତ୍ତିରେ ଜଣେ ଫାର୍ମାସିଷ୍ଟ । ତେବେ ଆସନ୍ତା ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ଭୋଟରଙ୍କ ଭିନ୍ନ ଭିନ୍ନ ମତ ରହିଛି ।