ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗାଁର ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବାଦ ପଡିଥିବା ପରିବାର ସଦସ୍ୟମାନେ ଏନେଇ ସାତକୋଶିଆ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଭେଟି ସେମାନଙ୍କୁ ପୁଣି ଥରେ ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସେମାନେ ନ୍ୟାୟ ପାଳିକାର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ଯାହାକି ଉଭୟ ବନ ବିଭାଗ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡି଼ଛି ।
ଜିଲ୍ଲାରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗତ ୨୦୧୭ରେ ରାଇଗୁଡା ଗାଁ ଉଚ୍ଛେଦ ହୋଇଛି । ଏବେ କଟରଙ୍ଗ ଗାଁ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଆଗକୁ ଅସନବାହଲ, ଟୁଲୁକା ସମେତ ଆଉ କେତୋଟି ଗାଁ ଉଚ୍ଛେଦ କରାଯିବା ପାଇଁ ଯୋଜନା ଚାଲିଛି । ଏହି ସବୁ ଗାଁ ଗୁଡିକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ ଭିତରେ ଅଛି। ତେଣୁ ଉଚ୍ଛେଦ କରିବା ଜରୁରୀ ହୋଇପଡି଼ଛି ।
ତେବେ ବର୍ତ୍ତମାନ କଟରଙ୍ଗ ଗାଁ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଏଥିପାଇଁ ପଲ୍ଲିସଭା, ଗାଁ ସଭା ଏବଂ ଅନ୍ୟ ଯାହା ସବୁ ପ୍ରକ୍ରିୟା ରହିଛି ତାହା ପ୍ରଶାସନ ପକ୍ଷରୁ ଶେଷ ହେବା ପରେ ଲୋକେ ଗାଁ ଛାଡ଼ୁଛନ୍ତି । ପ୍ରତ୍ୟକ ପରିବାରକୁ ନଗଦ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉଛି । କଟରଙ୍ଗ ଗାଁରେ ପ୍ରଶାସନ ପକ୍ଷରୁ ୧୨୧ଟି ପରିବାର ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୨ଟି ପରିବାର ଗାଁ ଛାଡି ସାରିଲେଣି । କିନ୍ତୁ ଗାଁର ଆଉ ୧୭ଟି ପରିବାରକୁ ବିସ୍ଥାପନ ତାଲିକାରୁ ବାଦ ଦିଆଯାଇଛି । ସେମାନଙ୍କର ଗାଁରେ ଘର, ଜମି ସବୁ ଅଛି ।
ସମସ୍ତଙ୍କର ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଅଛି । କିନ୍ତୁ ପ୍ରଶାସନ ପରିବାର ଚିହ୍ନଟ ବେଳେ ସେମାନଙ୍କୁ ଛାଡି ଦେଇଛି। କାରଣ ଘଞ୍ଚ ଜଙ୍ଗଲ ଭିତରେ କୌଣସି କାମ ଧନ୍ଦା ନପାଇ ସେହି ପରିବାର ଗୁଡିକ ଗାଁ ଛାଡି ପେଟ ପୋଷିବାକୁ ବାହାରେ ରହୁଥିଲେ । ଏଣୁ ପ୍ରଶାସନ ସେତେବେଳେ ସଠିକ ଭାବେ ପରିବାର ଚିହ୍ନଟ କରିବା କଥା । ତାହା କରିନଥିବାରୁ ଏବେ ୧୭ଟି ଗରିବ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।