ଅନୁଗୋଳ: କିନ୍ନରଙ୍କୁ ରୋଜଗାର ଯୋଗାଇଛନ୍ତି ପ୍ରଶାସନ । ନାଚ ଗୀତ କରି ପେଟ ପୋଷୁଥିବା କିନ୍ନର ଏବେ ନିଜେ ରୋଜଗାରକ୍ଷମ ହୋଇ ଦୁଇ ପଇସା ରୋଜଗାର କରି ପେଟ ପୋଷି ପାରୁଛନ୍ତି । ପ୍ରଶାସନ ପ୍ରଥମ ଥର ପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ୧୦ ଜଣ କିନ୍ନରଙ୍କୁ ନେଇ ଆରମ୍ଭ କରିଛନ୍ତି ଏଭଳି ପ୍ରୟାସ । ଆଗାମୀ ଦିନରେ ଆହୁରି ଅଧିକ କିନ୍ନରଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପ୍ରୟାସ କରୁଛି ପ୍ରଶାସନ ।
ଯାହାଙ୍କୁ ଆମ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖେ, ସେହି କିନ୍ନର ଆଜି ସମସ୍ତଙ୍କ ଭଳି ବଞ୍ଚିବା ଆରମ୍ଭ କରିଛନ୍ତି । ଯେଉଁମାନେ ଅନ୍ୟର ହାତଟେକା ଦାନକୁ ନିଜର ରୋଜଗାର ବୋଲି ଭାବନ୍ତି ଆଜି ସେମାନେ ହୋଇଛନ୍ତି ସ୍ଵାବଲମ୍ବୀ ।ଅନୁଗୋଳ ଜିଲ୍ଲା ପ୍ରଶାସନ ପ୍ରଥମ କରି ୧୦ ଜଣ କିନ୍ନରଙ୍କୁ ସ୍ଵାବଲମ୍ବୀ କରାଇପାରିଛି । ସେମାନଙ୍କୁ ନେଇ ସପ୍ତରଙ୍ଗ ନାମକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇ ଦକ୍ଷତା ବିକାଶ ତାଲିମ ଦେଇ କରାଇ ପାରିଛି ଆତ୍ମନିର୍ଭରଶୀଳ । ଅନୁଗୋଳ ବଜାରରେ ପ୍ରଶାସନ ନିଜ ଖର୍ଚ୍ଚରେ ଏକ ଅତ୍ୟାଧୁନିକ ଟଏଲେଟ ଏବଂ ସାନିଟାଇଜ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ବ୍ୟତୀତ ସେମାନଙ୍କ ରୋଜଗାର ବଢ଼ାଇବା ପାଇଁ ଏକ ଦୋକାନ ଘର ସମେତ ବିଭିନ୍ନ ପ୍ୟାକେଟ ଖାଦ୍ୟ ଓ ପାନୀୟ ବିକ୍ରି କରିବାର ସୁବିଧା ଯୋଗାଇଛି । ଯାହାର ସଦୁପଯୋଗ କରି ବେସ ଉପକୃତ ହେଉଛନ୍ତି ଏହି କିନ୍ନରମାନେ ।