ଟୋକିଓ:ଗୋଟିଏ ବର୍ଷ ବିଳମ୍ବରେ ହେଲେ ମଧ୍ୟ ଜୁଲାଇ ୨୩ରେ ଟୋକିଓ ଅଲମ୍ପିକ ଆରମ୍ଭ ହୋଇଥିଲା । ୩୩ଟି ଭିନ୍ନ ଖେଳରେ ପ୍ରାୟ ୧୧,୦୦୦ରୁ ଅଧିକ ଆଥଲେଟ ଏହି ମେଗା କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଅଲମ୍ପିକ ପ୍ରତିଯୋଗିତାର ସଫଳତମ ପ୍ରତିଯୋଗୀ ତାଲିକାରେ ଅନେକ ନୂଆ ନାମ ଯୋଡିହେଲା ଓ ପ୍ରତିଷ୍ଠା ସ୍ଥାପିତ ହେଲା । ସେମାନେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କଲେ ଓ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କଲେ ।
ତେବେ ନଜର ପକାନ୍ତୁ ଟୋକିଓ ଅଲମ୍ପିକ୍ରେ ସବୁଠୁ ଅଧିକ ପଦକ ଜିତିଥିବା ୧୦ଜଣ ଖେଳାଳିଙ୍କ ଉପରେ...
୧. ଏମା ମେକନ
ଟୋକିଓରେ ଅଷ୍ଟ୍ରେଲୀୟ ସୁଇମର ମେକନ ମୋଟ ୭ଟି ପଦକ ସହ ସବୁଠୁ ଅଧିକ ସଂଖ୍ୟକ ପଦକ ଜିତିଥିବା ଏକକ ଆଥଲେଟ୍ ହୋଇଛନ୍ତି । ଫଳରେ ସେ ଯୁଗ୍ମଭାବେ ଅଲମ୍ପିକର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ପଦକ ଜିତିଥିବା ଖେଳାଳି ଜିମ୍ନାଷ୍ଟ୍ ମାରିଆ ଗୋରୋଖୋଭସକୟଙ୍କ ସହ ସମାନ ହୋଇଛନ୍ତି । ୨୭ ବର୍ଷିୟା ବ୍ରିସବେନ ସୁଇମର ୫୦ ଓ ୧୦୦ ମିଟର ବ୍ୟକ୍ତିଗତ ଫ୍ରୀଷ୍ଟାଇଲ ୪x୧୦୦ମିଟର ମିଡଲେ ଓ ୪x୧୦୦ମିଟର ଫ୍ରୀଷ୍ଟାଇଲ ରିଲେ ସୁଇମିଂ ଇଭେଣ୍ଟରେ ୪ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପରେ ୧୦୦ ମିଟର ବଟର ଫ୍ଲାଏ, ୪x୨୦୦ ମିଟର ଫ୍ରୀଷ୍ଟାଇଲ ରିଲେ ଓ ୪x୧୦୦ମିଟର ମିକ୍ସଡ ରିଲେରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।
୨. କାଏଲେବ ଡ୍ରେସେଲ
ଷ୍ଟାର ସୁଇମର USA ପୁରୁଷ ସୁଇମିଂ ଟିମର କୋ-କ୍ୟାପଟେନ ଚୟନ ହୋଇଥିଲେ । ୨୪ବର୍ଷୀୟ ଡ୍ରେସେଲ ଟୋକିଓରେ ସ୍ବର୍ଣ୍ଣ ପଦକ ବର୍ଷା କରିଥିଲେ । ୫ଟି ସ୍ବର୍ଣ୍ଣ ପଦକ ସହ ୫ଥର ପଦକ ବିଜୟ ପୋଡିୟମର ଶୀର୍ଷରେ ପହଞ୍ଚିଛନ୍ତି ସେ । ୪x୧୦୦ମିଟର ଫ୍ରୀଷ୍ଟାଇଲ ରିଲେରେ ସେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ପରେ ୫୦ ମିଟର ଓ ୧୦୦ମିଟର ଫ୍ରୀଷ୍ଟାଇଲ ଇଭେଣ୍ଟରେ ନୂଆ ଅଳମ୍ପିକ ରେକର୍ଡ ନିଜ ନାମରେ କରିଥିଲେ । ୧୦୦ ମିଟର ବଟରଫ୍ଲାଏ ଓ ୪x୧୦୦ମିଟର ମିଡଲେ ରିଲେରେ ଦୁଇଟି ନୂଆ ବିଶ୍ବ ରେକର୍ଡ ସମୟ ହାସଲ କଲେ । ୫ଟି ସ୍ବର୍ଣ୍ଣ ପଦକ ସହ ଡ୍ରେସେଲ, ମାର୍କ ସ୍ପିଟଜ, ମାଟ ବିଓନ୍ଦି ଓ ମାଇକେଲ ଫେଲପସଙ୍କ ପରେ ଚତୁର୍ଥ ଆମେରୀୟ ପୁରୁଷ ସନ୍ତରଣକାରୀ ଭାବେ ଏହି ଐତିହାସିକ ସଫଳ ହାସଲ କରିଥିଲେ ।
୩. କେଏଲି ମେକିଓନ
ସୁଇମିଂ ପ୍ରତିଯୋଗିତାର ମହାମଞ୍ଚରେ କୁଇନ୍ସଲାଣ୍ଡର ୨୦ ବର୍ଷୀୟ ମେକିଓନ ଅବିଶ୍ବସନୀୟ ପ୍ରଦର୍ଶନ କରିଥିଲେ । ସେ ଏକ ନୂଆ ଅଲମ୍ପିକ ରେକର୍ଡ ସହ ୧୦୦ ମିଟରରେ ସ୍ବର୍ଣ୍ଣ ହାସଲ କରିଥିଲେ । ପରେ ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ବିଜେତା ହୋଇଥିଲେ । ପରେ ମହିଳା ୪x୧୦୦ମିଟର ମିଡଲେ ରିଲେରେ ତୃତୀୟ ସ୍ବର୍ଣ୍ଣ ହାସଲ କରିଥିଲେ । ଖାଲି ସେତିକି ନୁହେଁ, ୪x୧୦୦ମିଟର ମିଡଲେ ରିଲେରେ ବ୍ରୋଞ୍ଜ ପଦକ ମଧ୍ୟ ହାତେଇଥିଲେ ।
୪. ଝାଙ୍ଗ୍ ୟୁଫେଇ
ସ୍ମରଣୀୟ ପ୍ରଦର୍ଶନ ସହ ଟୋକିଓ ଅଲମ୍ପିକର ଅନ୍ୟତମ ଷ୍ଟାର ପ୍ରଦର୍ଶନକାରୀ ଥିଲେ ଝାଙ୍ଗ୍ । ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ନୂଆ ଅଲମ୍ପିକ ରେକର୍ଡ ସହିତ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ । ୧୦୦ ମିଟର ବଟରଫ୍ଳାଏ ଓ ୪x୧୦୦ମିଟର ରୌପ୍ୟ ପଦକ ଜିତିଥିଲେ । ବିଶ୍ବ ରେକର୍ଡ ଭାଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିବା ୪X୨୦୦ ମିଟର ଫ୍ରୀଷ୍ଟାଇଲ ଟିମର ସଦସ୍ୟ ମଧ୍ୟ ଥିଲେ ।
୫. କାଥଲିନ ଲେଡକେ
ଟୋକିଓରେ ଚର୍ଚ୍ଚିତ ମହିଳା ସନ୍ତରଣକାରୀ କାଥଲିନ ୪ଟି ପଦକ ନିଜ ନାମରେ କରିଥିଲେ । ଅଷ୍ଟ୍ରେଲିଆର ଏରିଏନେ ତିତମୁସଙ୍କଠାରୁ ୪୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ପରାଜୟ ସହ ରୌପ୍ୟରୁ ଆରମ୍ଭ କରିଥିଲେ ସେ । ବ୍ୟକ୍ତିଗତ ଇଭେଣ୍ଟରେ ଏହା ତାଙ୍କର ପ୍ରଥମ ପରାଜୟ । ପରେ ୨୦୦ ମିଟର ଫ୍ରୀଷ୍ଟାଇଲ ଇଭେଣ୍ଟରେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ତେବେ ୪x୨୦୦ମିଟର ଫ୍ରୀଷ୍ଟାଇଲ ରିଲେରେ ସେ ରୌପ୍ୟ ପଦକ ହାତେଇ ଥିଲେ । ମାତ୍ର ୮୦୦ ମିଟର ଫ୍ରୀଷ୍ଟାଇଲରେ ତୃତୀୟ ଥର ପାଇଁ ସ୍ବର୍ଣ୍ଣ ଓ ୧୫୦୦ ମିଟର ଫ୍ରୀଷ୍ଟାଇଲରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।