ଟୋକିଓ:କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ପରେ ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେଉଛି ଟୋକିଓ ପାରାଅଲିମ୍ପିକ୍ସ । ଏଥିରେ ୧୬୩ଟି ଦେଶରୁ ପ୍ରାୟ ୪୫୩୭ ଆଥଲେଟ ଭାଗ ନେବେ । ୨୨ଟି କ୍ରୀଡାର ୫୩୯ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ କ୍ରୀଡାବିତ । ପାରାଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।
ପାରାଅଲିମ୍ପିକ୍ସରେ ଭାରତରୁ ସବୁଠାରୁ ଅଧିକ ୫୪ ଜଣ ଆଥଲେଟ ଭାଗ ନେଇଛନ୍ତି । ଏଥର ଭାରତ ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ଭାରତୀୟ ପାରଅଲିମ୍ପିକ୍ସ ଦଳରେ ଜାଭଲିନ ଥ୍ରୋଓର ଦେବେନ୍ଦ୍ର ଝାଝାରିଆ ଓ ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ଭଳି ଷ୍ଟାର ଆଥଲେଟ ରହିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସର ଏହି ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ନେତୃତ୍ବ ନେବେ । ଭାରତ ଅତିକମରେ ୧୫ଟି ପଦକ ଜିତିବାକୁ ଆଶା ରଖିଛି ।