ଟୋକିଓ:ଚଳିତ ଟୋକିଓ ଅଲମ୍ପିକ୍ରେ ପୁରୁଷ ୨୦ କିଲୋମିଟର ରେସ୍ ୱାକ୍(Race Walk) ଇଭେଣ୍ଟରେ ଭାରତକୁ ନିରାଶ କଲେ ଆଥଲେଟ୍ କେଟି ଇରଫାନ, ରାହୁଲ ଓ ସନ୍ଦୀପ କୁମାର । ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଦୌଡ ଶେଷ କରିପାରିନାହାନ୍ତି ଭାରତୀୟ ଆଥଲେଟ୍ । ଗୁରୁବାର ସ୍ଥାନୀୟ ସାପୋରୋ ଓଦୋରି ପାର୍କରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସନ୍ଦୀପ ୨୩ତମ ସ୍ଥାନରେ ରହିଥିବାବେଳେ ରାହୁଲ ଓ ଇରଫାନ ଯଥାକ୍ରମେ ୪୭ତମ ଓ ୫୨ ତମ ସ୍ଥାନରେ ଦୌଡ ଶେଷ କରିଛନ୍ତି ।
ଇଟାଲିର ମାସିମୋ ଷ୍ଟାନୋ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ସେହିପରି ଜାପାନର କୋକି ଏଲକଡା ଓ ତୋସିକାଜୁ ୟାମାନିସି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସନ୍ଦୀପ ଦୌଡ ଶେଷ କରିବାକୁ ୧: ୨୫: ୦୭ ସମୟ ନେଇଥିଲେ ଓ ୨୩ତମ ସ୍ଥାନରେ ପହଞ୍ଚିଥିଲେ । ଇରଫାନ ୧:୩୪:୪୧ ଓ ରାହୁଲ ୧:୩୨:୦୬ ସମୟ ନେଇଥିଲେ ।