ଓଡିଶା

odisha

ETV Bharat / sports

ବିହାରରୁ ପୁଅ ହୋଇଆସିଥିଲେ ଭୁବନେଶ୍ବର, ବନିଗଲେ ଦେଶର 'ସୁନାପୁଅ' - ପ୍ରମୋଦଙ୍କ ବ୍ୟାଡମିଣ୍ଟନ ର୍ୟାକେଟ୍‌

ବ୍ୟାଡମିଣ୍ଟନ ରାକେଟ୍‌ କିଣିବାକୁ ନଥିଲା ଟଙ୍କା । ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

Tokyo gold medallist Pramod Bhagat once had no money to buy racket
ବିହାରରୁ ପୁଅ ହୋଇଆସିଥିଲେ ଭୁବନେଶ୍ବର, ବନିଗଲେ ଦେଶର 'ସୁନାପୁଅ'

By

Published : Sep 5, 2021, 6:13 PM IST

ହାଇଦ୍ରାବାଦ:ପ୍ରାୟ ପ୍ରତ୍ୟେକ ଭାରତୀୟ ସଫଳ କ୍ରୀଡାବିତ୍‌ ଏକ ସଂଘର୍ଷମୟ, ଆହ୍ବାନପୂର୍ଣ୍ଣ ଅତୀତର ସାମ୍ନା କରିଥାନ୍ତି । ନିଅଣ୍ଟିଆ କ୍ରୀଡା ଭିତ୍ତିଭୂମି ଓ ଅନ୍ୟ ସମସ୍ୟା ଯୋଗୁଁ ଭାରତ ଭଳି ଦେଶରେ ଆଜି ବି କ୍ରୀଡାବିତ୍‌ ଟିଏ, କ୍ରୀଡାକୁ ପ୍ରଥମ ପସନ୍ଦ କ୍ୟାରିୟର ଭାବେ ଚୟନ କରିବାକୁ କୁଣ୍ଠିତ ହେବାର ଦେଖାଯାଏ । ତେବେ ବହୁ ବାଧାବିଘ୍ନ ଓ ଅଂସଖ୍ୟ ଆହ୍ବାନ ସତ୍ତ୍ବେ ଦୃଢ ଆତ୍ମବିଶ୍ବାସକୁ ପୁଞ୍ଜି କରି ଅନେକ ନିଜ ପ୍ରତିଭାର ପରିଚୟ ସହ ନିଜକୁ ପ୍ରମାଣିତ କରିଥା'ନ୍ତି । ସେମାନଙ୍କ ଭିତରୁ ଅନ୍ୟତମ ଉଦାହରଣ ହେଉଛନ୍ତି ସଦ୍ୟ ଟୋକିଓ ପାରାଲମ୍ପିକ୍‌ ୨୦୨୦ର ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡିଆ ପୁଅ ପ୍ରମୋଦ ଭଗତ ।

ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଉଲ୍ଲସିତ ପ୍ରମୋଦ ଭଗତ

ନିହାତି ସାଧାରଣ ପରିବାରର ପୁଅ ପ୍ରମୋଦ ନିଜ କ୍ୟାରିୟର ଆରମ୍ଭରେ ଅନେକ ସଂଘର୍ଷର ସାମ୍ନା କରିଛନ୍ତି । ଏପରିକି ବ୍ୟାଡମିଣ୍ଟନ୍‌ କୋର୍ଟରେ ପହଞ୍ଚିବା ପାଇଁ ତାଙ୍କ ପାଖେ ରାକେଟ୍‌ ଟିଏ କିଣିବାକୁ ଟଙ୍କା ନଥିଲା । ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଟାଉନର ପ୍ରମୋଦ ଭଗତ କିନ୍ତୁ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ । ନିଜ ସ୍ବପ୍ନକୁ ସାକାର କରିବାକୁ ସେ ସମସ୍ତ ସଂଘର୍ଷମୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଣ କରିଥିଲେ ଓ ସଫଳ ହୋଇଥିଲେ ମଧ୍ୟ ।

ପ୍ରମୋଦ ଭଗତଙ୍କ ପାଖରେ ଦିନେ ନଥିଲା ର୍ୟାକେଟ କିଣିବାକୁ ଟଙ୍କା

ପିଲାଦିନେ କୌଣସି ଲୋକଙ୍କୁ ଦେଖିଲେ ସେ ପିଟୁଥିଲେ । ଏହି ଅଜବ ହରକତ ଅଜାଣତରେ ଦିନେ ତାଙ୍କର ପରିଚୟ ବନିଯିବ, ବୋଧହୁଏ କେହି ଆକଳନ କରିପାରୁନଥିଲେ । ସେଦିନର ସେହି କୁନି ପିଲାଟି ଦିନେ ହାତରେ ବ୍ୟାଡମିଣ୍ଟନ ରାକେଟ୍‌ରେ କମାଲ କରିବେ ଓ ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରୁ ଆସୁଥିବା କର୍କକୁ ପିଟି ବିଶ୍ବ ଚମ୍ପିଆନ ବନିବେ ଅବିଶ୍ବସନୀୟ ମଧ୍ୟ । ମାତ୍ର ନିୟତିର ନିୟମ ଥିଲା କିଛି ଭିନ୍ନ । ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପାଲଟିଗଲେ ପୋଲିଓ ଆକ୍ରାନ୍ତ । ଆଉ ତାପରେ ପରିଚୟ ସହ ବଦଳିଗଲା ପ୍ରମୋଦଙ୍କ ଠିକଣା । ବିହାର ପରିବର୍ତ୍ତେ ଭୁବନେଶ୍ବର ଆସିଲେ ପ୍ରମୋଦ । ତାଙ୍କ ବାପା ରାମ ଭଗତଙ୍କ କହିବା ଅନୁଯାୟୀ, ପରିବାରର ଆର୍ଥିକ ଅବସ୍ଥା ବିଲକୁଲ ଭଲ ନଥିଲା । ଏପଟେ ଭଉଣୀ କିଶୁନି ଦେବୀ(ପ୍ରମୋଦଙ୍କ ପିଉସୀ) ଓ ସ୍ବାମୀ କୈଳାଶ ଭଗତଙ୍କର କୌଣସି ସନ୍ତାନ ନଥିଲା । ଫଳରେ ସେମାନେ ପ୍ରମୋଦଙ୍କୁ ପୋଷ୍ୟଭାବେ ଗ୍ରହଣ କରି ଭୁବନେଶ୍ବର ନେଇଯାଇଥିଲେ ।

ଟୋକିଓ ପାରାଲମ୍ପିକ୍‌ରେ ପ୍ରମୋଦ ଭଗତ

ପ୍ରଥମ ପ୍ରଥମେ ପ୍ରମୋଦଙ୍କ ପାଖରେ ରାକେଟ୍‌ ଟିଏ କିଣିବାକୁ ମଧ୍ୟ ଟଙ୍କା ନଥିଲା । ତେବେ ଅଙ୍କଲ୍‌ ଓ ଆଣ୍ଟି ରାକେଟ୍‌ କିଣିଦେଇଥିଲେ ଓ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଥିଲା ।

ଆଇଟିଆଇ ପରେ ପ୍ରମୋଦ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶେଷ କରିଥିଲେ । କ୍ରମାଗତ ବ୍ୟାଡମିଣ୍ଟନ ଅଭ୍ୟାସ ତାଙ୍କୁ ଜଣେ ଦକ୍ଷ ଖେଳାଳି କରାଇଦେଇଥିଲା । ପରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚକୁ ପାର୍‌ କରି ଆଗକୁ ବଢିଥିଲେ । ପ୍ରଭାବୀ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିବା ସହ ବିଶ୍ବ ପାରାବ୍ୟାଡମିଣ୍ଟନ ମାନ୍ୟତାର ଶୀର୍ଷ ସ୍ଥାନ ମଧ୍ୟ ଅକ୍ତିଆର କରିଥିଲେ । ଏହାପରେ ଟୋକିଓ ପାରାଲମ୍ପିକ୍‌ ଟିକେଟ ମଧ୍ୟ ହାତେଇଥିଲେ । ଟୋକିଓ ୨୦୨୦ ପାରାଲମ୍ପିକ୍‌ରେ ବ୍ୟାଡମିଣ୍ଟନ ଖେଳକୁ ପ୍ରଥମ କରି ସ୍ଥାନ ମିଳିଥିଲା ଓ ପ୍ରମୋଦ ଭାରତର ପ୍ରତିନିଧିତ୍ବ କରିବାକୁ ଚୟନ ହୋଇଥିଲେ । ସେବେଠାରୁ ସମଗ୍ର ଦେଶ ପ୍ରମୋଦଙ୍କ ଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଥିଲା । ଦେଶବାସୀଙ୍କ ବିଶ୍ବାସକୁ ସଠିକ୍‌ ପ୍ରମାଣିତ କରିବା ସହ ଶନିବାର(ସେପ୍ଟେମ୍ବର ୪)ରେ ଟୋକିଓ ପାରାଲମ୍ପିକ୍‌ର ପାରାବ୍ୟାଡମିଣ୍ଟନ ପୁରୁଷ ଏକକ(SL୩) ବର୍ଗର ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହାପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଓଡିଶା ରାଜ୍ୟପାଳ ଗଣେଣୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଗଣିତ ଦେଶ ତଥା ରାଜ୍ୟବାସୀ ପ୍ରମୋଦଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ।

ଦୃଢନିଷ୍ଠା ଓ ଏକାଗ୍ରତାର ସହିତ ପ୍ରତି ସଂଘର୍ଷର ପରବର୍ତ୍ତୀ ଅଧାୟ ସଫଳତାର ସ୍ବର୍ଣ୍ଣିମ ସମୟ ହୋଇଥାଏ ବୋଲି ପ୍ରମୋଦ ପୁନଃ ପ୍ରମାଣିତ କରିଥିଲେ । ପ୍ରମୋଦଙ୍କ ଜଣ ଭାଇ ସୁରେଶ ଭଗତ କୁହନ୍ତି, ପ୍ରମୋଦଙ୍କ ପ୍ରଦର୍ଶନ ବାସ୍ତବିକ ପ୍ରଂଶସନୀୟ , ଆମେ ଅତ୍ୟନ୍ତ ଖୁସି । ସେ ଦେଶ ଓ ରାଜ୍ୟ ପାଇଁ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି । ତେବେ ଏବେବି ବିହାରର କ୍ରୀଡା ଭିତ୍ତିଭୂମି ଅତ୍ୟନ୍ତ ଖରାପ । ଏହି କାରଣରୁ ଅନେକ ପ୍ରତିଭାବାନ ଖେଳାଳି ନ୍ୟାସନାଲ ଇଭେଣ୍ଟ ଖେଳିବାରୁ ବଞ୍ଚିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details