ଟୋକିଓ:ଲଣ୍ଡନ ଅଲିମ୍ପିକ୍ସରେ ସୁଶୀଲ କୁମାରଙ୍କ ଐତିହାସିକ ରୌପ୍ୟ ପଦକ ବିଜୟର ନଅ ବର୍ଷ ପରେ ରବି ଦହିୟା ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ Tokyo Olympics ର 57 କିଗ୍ରା କୁସ୍ତି ସେମିଫାଇନାଲରେ ପହଁଞ୍ଚିଛନ୍ତି । କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରି ଫାଇନାଲରେ ସ୍ଥାନ ଓ ପଦକ ଉଭୟ ପକ୍କା କରିଛନ୍ତି ।
ତେବେ ଯେତେବେଳେ ସାରା ଦେଶ ତାଙ୍କ ବିଜୟରେ ଖୁସି ହେଉଥିଲା ସେତେବେଳେ ମ୍ୟାଚର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ସଭିଙ୍କ ନଜରରୁ ଲୁଚି ଯାଇଥିଲା ।
ଖେଳର ଅନ୍ତିମ ମିନିଟରେ, ଯେତେବେଳେ ଦହିୟା ୫-୯ ରେ ପଛୁଆ ଥିଲେ ଓ ସେ ସାନାୟେଭଙ୍କୁ ତଳେ ପକାଇ ଦେଇଥିଲେ ସେତେବେଳେ ସେ ଦହିୟାଙ୍କୁ କାମୁଡ଼ି ଦେଉଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତେବେ ଗୁରୁବାର ରବି ଦହିୟା ଫାଇନାଲ ମ୍ୟାଚରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ । ଫାଇନାଲରେ ତାଙ୍କ ମୁକାବିଲା ଋଷର ଜାଭୁର ଉଗୁଏଭଙ୍କ ସହ ହେବ ଯାହାଙ୍କ ଠାରୁ ରବି ୨୦୧୯ ବିଶ୍ବ ଚାମ୍ପିୟନଶିପ ସେମିଫାଇନାଲରେ ହାରିଥିଲେ । ଦହିଆ ପଞ୍ଚମ କୁସ୍ତି ଯୋଦ୍ଧା ଭାବେ ପଦକ ଜିତିବାକୁ ଲକ୍ଷ୍ୟ ରଖିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ