ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଗେମ୍ସରେ ଭାରତୀୟ ମହିଳା ହକି ଦଳର କଡ଼ା ସଂଘର୍ଷ ସତ୍ତ୍ବେ ପରାଜୟବରଣ କରିବାକୁ ପଡ଼ିଛି । ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାଜିତ ହୋଇଛି ଭାରତୀୟ ଦଳ । ଏହାପରେ ଭାରତୀୟ ମହିଳା ହକି ଟିମ ଅଧିନାୟିକା ରାଣୀ ରାମପାଲ ଓ ଟିମର କୋଚଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ମହିଳା ଟିମ୍ର ପ୍ରଦର୍ଶନ ପାଇଁ ଗର୍ବିତ ଥିବା କଥା ସେ କହିଛନ୍ତି ।
ମହିଳା ହକି ଟିମ୍ରେ ସମସ୍ତ ଆଥଲେଟ ଖୁବ୍ କୁଶଳୀ, ଯେଉଁମାନେ ଅନେକ ପରିଶ୍ରମ କରିଛନ୍ତି । ଆଉ ବର୍ତ୍ତମାନ ସେମାନେ ଆଗକୁ ଦେଖିବା ଉଚିତ୍ । ହାର-ଜିତ୍ ଜୀବନର ଅଂଶ, ତେଣୁ ମନ ଦୁଃଖ ନକରିବାକୁ କହିଲେ ପ୍ରଧାନମନ୍ତ୍ରୀ ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ସୋର୍ଡ ମାର୍ଜିନ । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଆପଣଙ୍କ ପ୍ରେରଣାଦାୟୀ ଫୋନ ପାଇଁ ଧନ୍ୟବାଦ ସାର୍ । ଆପଣ ଦେଇଥିବା ସନ୍ଦେଶ ମୁଁ ମୋର ଦଳକୁ ନିଶ୍ଚୟ ଜଣାଇବି । କାଂସ୍ୟ ପଦକ ମ୍ୟାଚରେ ଭାରତୀୟ ବାଘୁଣୀ ନିଶ୍ଚୟ ସେମାନଙ୍କ ପରକାଷ୍ଠା ପ୍ରମାଣିତ କରିବେ ।"