ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍ସକୁ ନେଇ ଦେଶରେ ଉତ୍ସାହର ମାହୋଲ । ଦେଶକୁ ଗୌରବ ଆଣିଛନ୍ତି ଭାରତୀୟ ଖେଳାଳି । ଏହାରି ମଧ୍ୟରେ ଗତ ୧୩ ଜୁଲାଇରେ ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ଦେଶର ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ସହ ସମ୍ବାଦ ସମୟରେ ଏକ ମଜାଦାର କଥା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଅଲମ୍ପିକ୍ସରେ ସଫଳ ହୋଇ ଫେରିବାକୁ ସିନ୍ଧୁଙ୍କୁ ଶୁଭକାମନା ଜଣାଇଥିଲେ ପିଏମ ମୋଦି । ଆଉ ଫେରିବା ପରେ ସାଙ୍ଗ ହୋଇ ଆଇସକ୍ରିମ ଖାଇବେ ବୋଲି ସିନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ସିନ୍ଧୁଙ୍କ କୋଚ୍ ଗୋପୀଚାନ୍ଦଙ୍କ ଏକ ସାକ୍ଷାତକାରକୁ ଦୋହରାଇ ମୋଦି କହିଥିଲେ, ଖେଳ ପାଇଁ ଆପଣଙ୍କ କୋଚ ଆପଣଙ୍କ ଠାରୁ ଫୋନ ନେଇଯାଇଥିଲେ । ଆଇସକ୍ରିମ ଖାଇବା ଉପରେ ମଧ୍ୟ ଲାଗିଥିଲା ରୋକ । ତେବେ ବର୍ତ୍ତମାନ ମଧ୍ୟ ଆଇସକ୍ରିମ ଉପରେ ପ୍ରତିବନ୍ଧକ ରହିଛି କି ବୋଲି ସିନ୍ଧୁଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ । ଶେଷରେ ଟୋକିଓ ଅଲମ୍ପିକରୁ ସଫଳ ହୋଇ ଫେରିବା ପରେ ସାଙ୍ଗ ହୋଇ ଆଇସକ୍ରିମ ଖାଇବେ ବୋଲି ସିନ୍ଧଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପିଏମ ମୋଦି ।
ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ୍ ପଦକ ଜିତି ଇତିହାସ ରଚିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଚୀନର ବିଙ୍ଗଜିଆଓଙ୍କୁ ମାତ୍ ଦେଇ ବାଜି ଜିତିବା ସହ ପଦକ କବଜା କରିଛନ୍ତି ଭାରତୀୟ ଝିଅ । ଅଲମ୍ପିକ ଇଭେଣ୍ଟରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ଇତିହାସ ରଚିଛନ୍ତି ସିନ୍ଧୁ ।