ଟୋକିଓ: ପାରାଅଲିମ୍ପିକ୍ସରେ ଭାରତକୁ ତାର ପ୍ରଥମ ପଦକ ମିଳିଛି । ଆଜି କ୍ରୀଡା ଦିବସରେ କ୍ରୀଡାରେ ଦେଶ ପାଇଁ ଗର୍ବ ଆଣିଛନ୍ତି ଭାବିନା । ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟିଟି ଫାଇନାଲରେ ଚୀନ ପ୍ରତିନ୍ଦ୍ବନ୍ଦୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି ଭାବିନା ।
ଚଳିତ ପାରାଅଲିମ୍ପିକ୍ସ ଚମତ୍କାର ପ୍ରଦର୍ଶନ କରି ବିସ୍ମୟ ସୃଷ୍ଟି କରିଛନ୍ତି ଭାବିନାବେନ ପଟେଲ । ଭାରତର ପ୍ରଥମ ମହିଳା ଟେବୁଲ ଟେନିସ ତାରକା ଭାବରେ ଟୋକିଓ ପାରାଅଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ଆଜି(ରବିବାର) ଖେଳାଯାଇଥିବା ଫାଇନାଲରେ ସ୍ବର୍ଣ୍ଣ ପଦକ ପାଇଁ ବିଶ୍ବର ନମ୍ବର ୱାନ ଖେଳାଳି ଚାଇନାର ୟିଙ୍କ୍ ଝୋଉଙ୍କୁ ଭେଟିଥିଲେ ଭାବିନା ।
ପ୍ରଥମରୁ ମ୍ୟାଚ ବରାବର ଚାଲିଥିଲା । ଏହା ପରେ ଚାଇନାରେ ଝୋଉ ୟିଙ୍କ୍ ଦମଦାର କମବ୍ୟାକ କରିଥିଲେ । ଫଳରେ ସିଧାସଳଖ ସେଟରେ ୧୯ ମିନିଟରେ ସେ ୦-୩ (୭-୧୧, ୫-୧୧, ୬-୧୧) ଭାବିନାଙ୍କ ଝୋଉ ୟିଙ୍କଠାରୁ ପରାସ୍ତ ହୋଇଛନ୍ତି । ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଭାରତର ଭାବିନା । ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଭାବିନା ଓ ଏଥିରେ ତାଙ୍କୁ ପଦକ ମିଳିଛି । ଶନିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମହିଲା ସିଙ୍ଗଲ ଟେବୁଲ ଟେନିସ କ୍ଲାସ-୪ ସେମିଫାଇନାଲରେ ଚାଇନାରେ ମିଆଓ ଝାଙ୍ଗୁଙ୍କୁ ୩-୨ରେ ପରାସ୍ତ କରିଥିଲେ । ଦେଶ ପାଇଁ ପଦକ ସୁନିଶ୍ଚିନ୍ତ କରିଥିଲେ ।
ଗୁଜୁରାଟର ମେହସାନା ଜିଲ୍ଲାର ସୁନ୍ଧିୟା ଗ୍ରାମରେ ଭାବିନାଙ୍କ ଜନ୍ମ । ଦିବ୍ୟାଙ୍କ ହୋଇ ମଧ୍ୟ ପାରାଅଲିମ୍ପିକ୍ସକୁ ସ୍ମରଣୀୟ କରି ଦେଇଛନ୍ତି । ଦୃଢ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ସେ ରୌପ୍ୟ ପଦକ ଜିତିଛନ୍ତି । ଏନେଇ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖ୍ୟନୀୟ ପ୍ରଦର୍ଶନରେ ଭାରତର ଝିଅ ଭବୀନା ପଟେଲ ଇତିହାସ ରଚିଛନ୍ତି । ଦେଶପାଇଁ ରୂପା ପଦକ ଆଣିଛନ୍ତି । ତାଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ସଫଳତା ପ୍ରେରଣାଦାୟକ ଏବଂ ଆଗକୁ ଯୁବପିଢିଙ୍କୁ କ୍ରୀଡା ଆଡକୁ ଆକର୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ